ଜର୍ଜ ଫ୍ଲଏଡଙ୍କୁ ହତ୍ୟା : ପୂର୍ବତନ ପୁଲିସ ଅଧିକାରୀ ଚୌଭିନ୍ ଦୋଷୀ

  • 22-Apr-2021
  • 0 Comments


କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କୁ ହତ୍ୟା ଅଭିଯୋଗରେ କୋର୍ଟ ଅଭିଯୁକ୍ତ ପୁଲିସ ଅଧିକାରୀ ଡେରେକ୍ ଚୌଭିନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ମାମଲାରେ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ କୋର୍ଟଙ୍କ ରାୟକୁ ଯୁଗାନ୍ତକାରୀ ପଦକ୍ଷେପ ଦର୍ଶାଇ ଉଚ୍ଚ ପ୍ରଶଂସା କରିଛନ୍ତି । କେବଳ ଏତିକି କହି ଚୁପ ରହିଯିବା ଉଚିତ ହେବନି, କହିଛନ୍ତି ବାଇଡେନ୍ । ବିଶ୍ୱବାସୀ ଆମେରିକାରେ ଘଟୁଥବା ପ୍ରତିଟି ଘଟଣା ଉପରେ ଗଭୀର ଦୃଷ୍ଟି ରଖିଛନ୍ତି । ଜର୍ଜ ଫ୍ଲଏଡ୍ ଘଟଣା ବିଶ୍ୱବାସୀଙ୍କୁ ବ୍ୟଥିତ କରିଥିଲା । ପୂର୍ବତନ ପୁଲିସ ଅଧିକାରୀ ଚୌଭିନଙ୍କୁ ଦୋଷୀ ସାବ୍ୟସ୍ତ କରି ଆମେରିକା କୋର୍ଟ ହ୍ୱାଇଟ୍ ହାଉସ ପ୍ରଶାସନର ଉଦାର ମନୋଭାବକୁ ପ୍ରତିପାଦିତ କରିଛନ୍ତି । ଶ୍ୱେତକାୟ ଅଧିକାରୀ ଚୌଭିନଙ୍କ କ୍ରୁରତା ସିସିଟିଭି ଫୁଟେଜରେ ମହଜୁଦ ଥିଲା । କୋର୍ଟ ବିଭିନ୍ନ ତଥ୍ୟ ଓ ସାକ୍ଷୀମାନଙ୍କ ବୟାନକୁ ଭଲ ଭାବରେ ତର୍ଜମା କରି କହିଛନ୍ତି, ଆସାମୀ ଚୌଭିନ୍  ଆଫ୍ରିକାନ୍ ଆମେରିକାନ୍ ଜର୍ଜ ଫ୍ଲଏଡଙ୍କୁ ରାସ୍ତା ଉପରେ ପକାଇ ପ୍ରାୟ ୯ ମିନିଟ୍ ୨୯ ସେକେଣ୍ଡ ପର୍ଯ୍ୟନ୍ତ ତାଙ୍କ ଗଳାକୁ ଜୋତାରେ ଚିପିଥିଲେ । ଫ୍ଲଏଡଙ୍କ ପ୍ରତି ସେକେଣ୍ଡ ଡିଗ୍ରୀ, ଥାର୍ଡ ଡିଗ୍ରୀ ଓ ନିର୍ମମ ଆଚରଣ କରାଯାଇଥିବା ବିଷୟ କୋର୍ଟ ଉଲ୍ଲେଖ କରିଛନ୍ତି ।  ଦୁଇ ମାସ ଭିତରେ ଚୌଭିନଙ୍କ ପ୍ରତି ଦଣ୍ଡ ବିଧାନ କରାଯିବ । କୋର୍ଟଙ୍କ ରାୟ ଶୁଣିବା ପରେ ଚୌଭିନ ସାମାନ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ ମଧ୍ୟ ନିରବ ରହିବାକୁ ବାଧ୍ୟ ହୋଇଥିଲେ । ଚୌଭିନଙ୍କୁ ଦଶନ୍ଧି ଧରି ଜେଲ ଭୋଗିବାକୁ ପଡ଼ିପାରେ । ତେବେ ତଳକୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି ଜଣାଇ ସାରିଛନ୍ତି । 
କୋର୍ଟ ରାୟକୁ ଫ୍ଲଏଡଙ୍କ ପରିବାର ସ୍ୱାଗତ କରିଛନ୍ତି । ଫ୍ଲଏଡଙ୍କ ପରିବାରକୁ ନ୍ୟାୟ ମିଳିଛି କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଭବିଷ୍ୟତରେ ଆମେରିକାରେ ଯେଭଳି ବର୍ଣ୍ଣ ବୈଷମ୍ୟର ଅବସାନ ଘଟିବ, ସେଥିପାଇଁ ଆମେରିକା ସଂସଦରେ ପ୍ରସ୍ତାବିତ   ଫ୍ଲଏଡ୍ ବିଲ ଗୃହୀତ ହେବା ଜରୁରୀ ବୋଲି ଉପ-ରାଷ୍ଟ୍ରପତି କମଲା ହାରିସ କହିଛନ୍ତି ।
 

ତିନି ସପ୍ତାହ ଧରି ବିଚାର ଚାଲିଥିଲା । କୋର୍ଟ ପ୍ରାୟ ୪୫ ରାଜସାକ୍ଷୀଙ୍କ ବୟାନକୁ ଧ୍ୟାନର ସହିତ ଶୁଣିଥିଲେ । ସିସିଟିଭି ଫୁଟେଜକୁ ଘଂଟାଘଂଟା ଧରି ଦେଖିଥିଲେ । ଚୌଭିନଙ୍କ ବର୍ବରତା ବଖାଣୁ ଥିଲାବେଳେ ସାକ୍ଷୀଙ୍କ ଆଖିରୁ ଧାରଧାର ହୋଇ ଲୁହ ବହି ଯାଉଥିଲା । ଅତି ଅସହାୟ ଭାବେ ଫ୍ଲଏଡ ମୃତୁ୍ୟବରଣ କରିଥିଲେ । ଆସାମୀ ଚୌଭିନ ଫ୍ଲଏଡଙ୍କ ଗଳାକୁ ଜୋତାରେ ଚାପି ରଖିବା ଫଳରେ ତାଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲା । ଫ୍ଲଏଡ୍ ଛଟପଟ ହୋଇ ପ୍ରାଣ ହରାଇଥିଲେ । ଜଣେ ପୁଲିସ ଅଧିକାରୀଙ୍କ ମନରେ ଏଭଳି ହୀନମନ୍ୟତା ରହିବା ଅନୁଚିତ । 
କୋର୍ଟଙ୍କ ରାୟ ଶୁଣିବା ପରେ କୃଷ୍ଣକାୟ ସମାଜ ପକ୍ଷରୁ ଆନନ୍ଦ ପ୍ରକାଶ ପାଇଛି । କିଛି ସଂଗଠନ ଫ୍ଲଏଡଙ୍କ ପ୍ରତି ନିର୍ମମ ଆଚରଣ କରାଯାଇଥିବା ସ୍ଥାନରେ ଏକଜୁଟ ହୋଇ ଖୁସି ମନାଇଛନ୍ତି । ଏପରି କରିବା ଫଳରେ ଫ୍ଲଏଡଙ୍କ ଆତ୍ମା ଶାନ୍ତି ପାଇବ ବୋଲି ସେମାନେ କହିଛନ୍ତି । 

Related

News