ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା: ୮ ଦିନ ପାଇଁ ରିମାଣ୍ଡରେ ଇମ୍ରାନ

  • 10-May-2023
  • 0 Comments


ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଗିରଫଦାରି ପରେ ପାକିସ୍ତାନରେ ରକ୍ତପାତ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଅଦ୍ୟାବଧି ୮ ଜଣ ଲୋକଙ୍କର ପ୍ରାଣହାନି ଘଟିଲାଣି । ପଞ୍ଜାବ ପ୍ରଦେଶରେ ସେନା ମୁତୟନ କରାଯାଇଛି । ଚାଙ୍ଗ ଇଲାକାରେ ଅବସ୍ଥିତ ପରମାଣୁ ଶକ୍ତିକେନ୍ଦ୍ରକୁ ସେନା ଜଗିଛି । ପେଶାୱରରେ ପ୍ରତିଷ୍ଠିତ ପାକିସ୍ତାନ ରେଡିଓ କୋଠାରେ ନିଅାଁ ଲଗାଇ ଦିଆଯାଇଛି । ଇମ୍ରାନଙ୍କ ପ୍ରତିଷ୍ଠିତ ରାଜନୈତିକ ଦଳ ପାକିସ୍ତାନ ତେହରିକ୍-ଏ-ଇନସାଫ (ପିଟିଆଇ) କର୍ମୀମାନେ ପ୍ରାୟ ୧୮ଟି ସହରରେ ଜଳାପୋଡ଼ା ଆରମ୍ଭ କରିଛନ୍ତି ।

ଅନ୍ୟ ପକ୍ଷରେ ନ୍ୟାସନାଲ ଆକାଉଂଟିବିଲିଟି ବୁ୍ୟରୋ (ଏନ୍ ଏବି)ର ସ୍ୱତନ୍ତ୍ର ଅସ୍ଥାୟୀ କୋର୍ଟରେ ଇମ୍ରାନଙ୍କୁ ହାଜର କରାଯାଇଥିଲା । ତାଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ତଦନ୍ତ ସଂସ୍ଥା କୋର୍ଟଙ୍କଠାରୁ ଅନୁମତି ଲୋଡ଼ିଥିଲା । ମାତ୍ର କୋର୍ଟ ୮ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଇମ୍ରାନଙ୍କ ପତ୍ନୀ ବୁଶରାଙ୍କୁ ଗିରଫ କରିବା ପାଇଁ ୱାରେଂଟ ଜାରି କରିବାକୁ ଉଦ୍ୟମ ଚଳାଇଛି ।

ଇମ୍ରାନ୍ ଖାନଙ୍କୁ ମଙ୍ଗଳବାର ଦିନ ପ୍ରାୟ ତିନିଟା ସମୟରେ ଇସଲାମାବାଦ ହାଇକୋର୍ଟରେ ଗିରଫ କରାଯାଇଥିଲା । ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଗିରଫ କରିଛି । ଦୁଇଟି ମାମଲାରେ ଜାମିନ ପାଇବା ପାଇଁ ସେ ହାଇକୋର୍ଟରେ ହାଜର ହୋଇଥିଲେ । ଇମ୍ରାନଙ୍କୁ ମାଡ଼ ମରାଯାଉଛି ବୋଲି ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଅଭିଯୋଗ କରିଛି । ଦଳ ପକ୍ଷରୁ ଇମ୍ରାନଙ୍କ ରକ୍ତ ଜୁଡୁବୁଡୁ ଓକିଲଙ୍କ ଭିଡିଓକୁ ପୋଷ୍ଟ କରିଛି ।

ଆଇଜି ଆକବର ଖାନ କହିଚନ୍ତି, ଅଲ-କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି । ପାକିସ୍ତାନ ଖବରକାଗଜ ‘ଦି ଡନ୍’ ଅନୁସାରେ ଅଲ-କାଦିର ଟ୍ରଷ୍ଟ ଦୁର୍ନୀତି ୫୦ କୋଟି ଟଙ୍କାରୁ ଅଧିକ । ତା’ର ଫାଇଦା କେବଳ ଇମ୍ରାନ ଓ ତାଙ୍କ ପତ୍ନୀ ବୁଶରା ବିବି ଉଠାଇଛନ୍ତି ।

ରବିବାର ଏକ ଜନସଭାରେ ଯୋଗ ଦେଇ ଇମ୍ରାନ ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇର ରାଜନୈତିକ ବିଭାଗ ମୁଖ୍ୟ ଫୈସଲ ନସିରଙ୍କ ବିରୋଧରେ  ସଙ୍ଗୀନ ଅଭିଯୋଗ କରିଥିଲେ । 
 

ଖାନ କହିଥିଲେ, ଫୈସଲ ମୋତେ ମାରିବାକୁ ଚାହୁଁଛନ୍ତି । କିଛି ଅଫିସର ତାଙ୍କୁ ଏ ଦିଗରେ ସହାୟତା କରୁଛନ୍ତି । ଇମ୍ରାନଙ୍କ ସାଂଘାତିକ ଅଭିଯୋଗକୁ ସେନା ଖଣ୍ଡନ କରିଛି । ମଙ୍ଗଳବାର ଇମ୍ରାନ୍ କାରରେ ଲାହୋରରୁ ଇସଲାମାବାଦ ଅଭିମୁଖେ ଯାତ୍ରା କରୁଥିବାର ଏକ ଭିଡିଓ ଜାରି କରି ଅଭିଯୋଗ କରିଥିଲେ ଯେ ସେନା ତାଙ୍କ କଥାକୁ ମନଦେଇ ଶୁଣୁ । ସେ ଡରିବା ଲୋକ ନୁହନ୍ତି ଯେ ପାକିସ୍ତାନ ଛାଡ଼ି ପଳାୟନ କରିବେ । 

ଉକ୍ତ ଭିଡିଓ ପୋଷ୍ଟ କରିବାର ଚାରିଘଂଟା ପରେ ସେ ଇସଲାମାବାଦ ହାଇକୋର୍ଟରେ ପହଂଚିଥିଲେ । ତାଙ୍କ ପଛେପଛେ ହାଇକୋର୍ଟରେ ପହଂଚିଥିଲା ପାକ୍ ଅର୍ଦ୍ଧସାମରିକ ସେନା । କେହି କିଛି ବୁଝିବା ଆଗରୁ ଇମ୍ରାନଙ୍କୁ ଧରି ସେନା ଚାଲି ଯାଇଥିଲା ।

କ୍ଷମତାରେ ଥିଲାବେଳେ ଇମ୍ରାନଙ୍କ ଗର୍ବ ଓ ଅହଂକାରର ସୀମା ନଥିଲା ବୋଲି ସାଧାରଣ ଲୋକମାନେ କହନ୍ତି । କେହି ତାଙ୍କୁ ସାକ୍ଷାତ କରିବାକୁ ଗଲେ, ସେ ଚାହା କପେ ଦେବାକୁ କୁଣ୍ଠାବୋଧ କରନ୍ତି । ଏପରିକି ଅତିଥିଙ୍କ ସାମନାରେ ସେ ଖାନା ଖାଉଥିବାର ଦୃଶ୍ୟ ଅନେକଙ୍କୁ ବ୍ୟଥିତ କରୁଥିଲା ।

Related

News