ବ୍ରିଟେନ ରାଜା ଫିଲିଫଙ୍କ ଦେହାନ୍ତ

  • 09-Apr-2021
  • 0 Comments


ଶୁକ୍ରବାର ବ୍ରିଟେନର ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କର ଦେହାନ୍ତ ଘଟିଛି । ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ୯୪ ବର୍ଷୀୟା ମହାରାଣୀଙ୍କ ସହିତ ତାଙ୍କର ଯୋଡ଼ି ବିଶ୍ୱବାସୀଙ୍କ ମନକୁ ଛୁଇଁ ପାରିଥିଲା । ବହୁୁ ଦାତବ୍ୟ ଅନୁଷ୍ଠାନ ସହ ଜଡ଼ିତ ରହି ସେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ବ୍ରିଟେନ ଇତିହାସରେ ସେ ଦୀର୍ଘ ସମୟ ଧରି ରାଜା ରହିଥିଲେ । 
ଜାନୁଆରୀ ମାସରେ ମହାରାଣୀ ଦ୍ୱିତୀୟ ଏଲିଜାବେଥ ଓ ରାଜା ଫିଲିଫ କରୋନା ଟୀକା ନେଇଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଫେବୃଆରୀ ୧୬ ତାରିଖରେ ତାଙ୍କୁ କିଙ୍ଗସ ଏଡୱାର୍ଡ ହସ୍ପିଟାଲକୁ ନିଆ ଯାଇଥିଲା । ହୃତପିଣ୍ଡରେ ଛୋଟ ଅସ୍ତ୍ରୋପଚାର ପରେ ହସ୍ପିଟାଲରେ ପ୍ରାୟ ୨୮ ଦିନ କଟାଇବା ପରେ ମାର୍ଚ୍ଚ ୧୬ ତାରିଖରେ ପ୍ରିନ୍ସ ଫିଲିଫ ରାଜପ୍ରାସାଦକୁ ଫେରିଥିଲେ । ୧୯୨୧ ଜୁନ ୧୦ ତାରିଖରେ ଜନ୍ମିତ ଫିଲିଫ ଆଉ ଦୁଇମାସ ପରେ ୧୦୦ତମ ଜନ୍ମଦିବସ ପାଳନ କରିଥାନ୍ତେ । ମାତ୍ର ବିଧିର ବିଧାନ ନିକଟରେ ତାଙ୍କୁ ହାର ମାନିବାକୁ ପଡ଼ିଲା । 
ବିବାହ ପୂର୍ବରୁ ଫିଲିଫ ନୌସେନା କମାଣ୍ଡର ଥିଲେ । ଆଜିବି ବ୍ରିଟେନ ନୌସେନା ତାଙ୍କର ଅଦମ୍ୟ ସାହସକୁ ସମ୍ମାନ ଦେଇଆସିଛି । ରାଜା ଫିଲିପଙ୍କ ସମ୍ମାନାର୍ଥେ ବ୍ରିଟେନ ଜାତୀୟ ପତାକାକୁ ଅର୍ଦ୍ଧନମିତ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ବ୍ରିଟେନ ରାଜପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ବକିଂହାମ ରାଜପ୍ରାସାଦକୁ ଶୋକବାର୍ତ୍ତା ପଠାଇବାକୁୁ ଲାଗିଛନ୍ତି ।

 

ଗ୍ଲୁକ୍ସବର୍ଗ ରାଜପରିବାରରେ ଜନ୍ମିତ ଫିଲିଫ ଛୋଟ ଥିଲାବେଳେ ତାଙ୍କ ପରିବାରକୁ ଦେଶରୁ ତଡ଼ି ଦିଆଯାଇଥିଲା । ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନରେ ଅଧ୍ୟୟନ ସାରିବା ପରେ ୧୮ ବର୍ଷୀୟ ଫିଲିପ ୧୯୩୯ରେ ବ୍ରିଟେନ ନୌସେନାରେ ଯୋଗଦାନ କରିଥିଲେ । ୧୯୩୪ରେ ରାଣୀ ଏଲିଜାବେଥଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ହେଲା । ସେତେବେଳେ ଏଲିଜାବେଥଙ୍କୁ ୧୩ ବର୍ଷ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଫିଲିଫ ଭାଗ ନେଇଥିଲେ ।

ବିଶ୍ୱଯୁଦ୍ଧ ଶେଷ ହେଲା । ରାଜା ଷଷ୍ଠ ଜର୍ଜ ଏଲିଜାବେଥ-ଫିଲିଫଙ୍କ ବିବାହକୁ ସମ୍ମତି ପ୍ରଦାନ କଲେ । ଫିଲିଫ ବ୍ରିଟେନ ନାଗରିକତା ଗ୍ରହଣ କରିବା ପରେ ୧୯୪୭ ନଭେମ୍ବର ୨୦ରେ ରାଣୀ ଏଲିଜାବେଥଙ୍କୁ ବିବାହ କଲେ । ୧୯୫୨ରେ ଏଲିଜାବେଥଙ୍କୁ ମହାରାଣୀ ରୂପେ ଘୋଷଣା କରାଗଲା । ଫଳରେ ଫିଲିପଙ୍କୁ ନୌସେନାରୁ ଇସ୍ତଫା ଦେବାକୁ ପଡ଼ିଲା । ୧୯୬୧ରେ ମହାରାଣୀ ଏଲିଜାବେଥଙ୍କ ସହିତ ଫିଲିପ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ । ସେ ସମୟରେ ବ୍ରିଟେନ ରାଜଦମ୍ପତି ଜୟପୁର ରାଜାଙ୍କ ଆତିଥେୟତା ଲାଭ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ରାଜପରିବାର ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Related

News