ଚଳିତ ବଜେଟ୍: ଗୋଦରା କୋଡ଼େ ଯେତେ

  • 23-Feb-2021
  • 0 Comments


୨୦୨୧-୨୨ ଆର୍ଥôକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ । ଏହି ବଜେଟରେ ସରକାର ଅଣଉତ୍ପାଦକ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରିଥିଲା ବେଳେ ଉତ୍ପାଦକ କ୍ଷେତ୍ରକୁ କମ ପରିମାଣର ଅର୍ଥ ବ୍ୟୟବରାଦ କରିଛନ୍ତି । ବଜେଟରୁ ସାଧାରଣ ଲୋକମାନେ ସେପରି କିଛି ଉପକୃତ ହେବାର ଆଶା ଦେଖାଯାଉନି, ବରଂ ମନ୍ତ୍ରୀ, ବିଧାୟକ, ପ୍ରଶାସକ ଗୋଷ୍ଠୀ, ସରକାରୀ କର୍ମଚାରୀମାନେ  ଅଧିକ ପରିମାଣର ଉପକୃତ ହେବେ । ସବୁ ଥର ଭଳି ଏଥର ବଜେଟ୍ ‘ଗୋଦରା କୋଡ଼େ ଯେତେ’ ନୀତିକୁ ଆଦରିନେଇଛି ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଅଭିଯୋଗ କରିଛି । ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର କହିଛନ୍ତି, ବିଜେଡି କ୍ଷମତାସୀନ ହେବା ପରଠାରୁ ରାଜ୍ୟବାସୀଙ୍କ ମୁଣ୍ଡ ଉପରେ ଋଣଭାର ବୋଝ ଉପରେ କୋରଡ଼ା ମାଡ଼ ଭଳି ବଢ଼ିଚାଲିଛି । ୨୦୦୦ରେ ରାଜ୍ୟବାସୀଙ୍କ ମୁଣ୍ଡରେ ଋଣଭାର ୨୦ ହଜାର କୋଟି ଟଙ୍କା ଥିଲା, ଏବେ ତା’ର ପରିମାଣ ୧ ଲକ୍ଷ ୨୦ ହଜାର କୋଟିରୁ ଅଧିକ ହେଲାଣି । ସରକାରଙ୍କ ୨୦୨୧-୨୨ ବଜେଟ୍ କଳେବର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା, ଯେଉଁଥିରେ ସରକାର ୪୪ ହଜାର ୪୦୦ କୋଟି ଟଙ୍କା ଋଣ କରିବାକୁ ଚାହୁଁଛନ୍ତି । ଏଥିରୁ ଜଣାଯାଉଛି ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ ମୁଣ୍ଡରେ ୧ ଲକ୍ଷ ୬୪ ହଜାର କୋଟି ଟଙ୍କାର ଋଣଭାର ଲଦିବାର ଲକ୍ଷ୍ୟ ରଖିଛନ୍ତି । 

 

ସବୁଠାରୁ କ୍ଷୋଭର ବିଷୟ ହେଉଛି, ସାଧାରଣ ଖଟିଖିଆମାନେ ବଜେଟର ଭିତରକୁ ଯାଇ ସରକାରଙ୍କ ଅସଲ ମନୋଭାବ ବୁଝିବାକୁ ନାରାଜ । ସେମାନଙ୍କୁ ଦରକାର ଟଙ୍କାକରେ କିଲେ ଚାଉଳ । ବାସ୍ ସେତିକି ଧରାଇ ସରକାର ସେମାନଙ୍କ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର କରିବା ଲକ୍ଷ୍ୟରେ ଅଛନ୍ତି । ବୁଦ୍ଧିଜୀବୀ ଗୋଷ୍ଠୀ ‘ଆପଣା ମହତ ଆପେ ରଖି’ ନୀତି ସରକାରଙ୍କ ମନୋଭାବକୁ ଆହୁରି ଦୃଢ଼ କରୁଛି । ବୁଦ୍ଧିଜୀବୀ ଗୋଷ୍ଠୀ ଆପଣା ସ୍ୱାର୍ଥ ପାଇଁ ସରକାରଙ୍କ ‘ଗୋଦରା କୋଡ଼େ ଯେତେ’ ନୀତିକୁ ଆଦରି ନେବାକୁ ଉଚିତ ମଣୁଛନ୍ତି କାରଣ ସେମାନଙ୍କ ମତରେ ‘ଆପେ ବଂଚିଲେ ବାପର ନାମ’ । ବୁଦ୍ଧିଜୀବୀଙ୍କ ଏପରି ମନୋଭାବ ସମାଜ ପାଇଁ ବିରାଟ ବଡ଼ ବିପଦ ସୃଷ୍ଟି କରୁଛି । ଆଜିର ବୁଦ୍ଧିଜୀବୀ ଠିକ କାଳିଦାସଙ୍କ ଭଳି ଅଭିନୟ କରିବାରେ ମାହିର, ମାତ୍ର ସମାଜର ଦିଗଦର୍ଶକ ହେବାକୁ ନାରାଜ ବୋଲି କଟାକ୍ଷ କରିଛନ୍ତି ରାପଦ ସଭାପତି ସୁଶାନ୍ତ ସର୍ବେଶ୍ୱର ।

Related

News