ନବୀନଙ୍କ ପଞ୍ଜାବୀରେ ଦାଗ ଲଗାଇଲା ଡେଙ୍ଗୁ

  • 26-Sep-2023
  • 0 Comments


ପରିବେଶ ସହିତ ମୁକାବିଲା କରି ବଂଚିବାର ଯୋଉ କ୍ଷମତା ମଶାବଂଶ ପାଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ତାକୁ ହାସଲ କରିବା ଅସମ୍ଭବ । ଏ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବା ଦରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡକୁ ଉପହାସ କରିଛି ଡେଙ୍ଗୁ ।

ବିଧାନସଭାରେ ବିରୋଧୀଙ୍କୁ ଧୂଳି ଚଟାଉଥିବା ମୁଖ୍ୟମନ୍ତ୍ରୀଙ୍କୁ ଧୂଳି ଚଟାଇଛି ଏକମାତ୍ର ଡେଙ୍ଗୁ । ରାଜ୍ୟ ସରକାରଙ୍କ ଲୋକପ୍ରିୟ ସ୍ୱାସ୍ଥ୍ୟସେବାର ଅସଲ ଚେହେରାକୁ ପଦାରେ ପକାଇଛି ଡେଙ୍ଗୁ । ରାଜ୍ୟ ସରକାରଙ୍କୁ ଡେଙ୍ଗୁ ଚେତାଇ ଦେଇଛି ଯେ ଲୋକଙ୍କ ହାତରେ ସ୍ୱାସ୍ଥ୍ୟ କାର୍ଡ ଧରାଇଦେଲେ ସେ ଡରି ଯାଇ ପଳାୟନ କରିବନି । ପ୍ରାକୃତିକ ପରିବେଶକୁ ଅଳିଆ ଆର୍ବଜନାରୁ ମୁକ୍ତ ରଖିବା ସରକାରଙ୍କର ମୌଳିକ କାମ ।

ପ୍ରଦୂଷିତ ବାତାବରଣକୁ ନିର୍ମଳ ରଖିବା ପାଇଁ ସରକାରୀ ସ୍ତରରେ ଗ୍ରହଣ  କରାଯାଉଥିବା ଯାବତୀୟ ଉଦ୍ୟମ କେବଳ ଧର୍ମକୁ ଆଖିଠାର । ସାରା ରାଜ୍ୟକୁ ଅଥୟ କରିଛି ଡେଙ୍ଗୁ । ରାଜ୍ୟବାସୀଙ୍କୁ ସୁସ୍ଥ ବାତାବରଣ ପ୍ରଦାନ କରିବା ଦିଗରେ ସଂପୂର୍ଣ୍ଣ ବିଫଳ ହୋଇଛି ନବୀନ ସରକାର । ମାତ୍ର ଆପଣା ଦୋଷକୁ ଲୋକଙ୍କ ମୁଣ୍ଡରେ ଲଦି ଦେବା ନବୀନଙ୍କର ସଫଳ ପ୍ରୟାସ । ଘରକୁ ଘର ଯାଇ ଅଳିଆ ସଂଗ୍ରହ କରିଦେଲେ, ଚଳିବନି ।

ପୌରପାଳିକାର ପ୍ରତି କର୍ମଚାରୀ ତାଙ୍କର ଦାୟିତ୍ୱକୁ ଠିକ ଭାବେ ତୁଲାଇବା ଜରୁରୀ । ସହରାଂଚଳରେ ଅଟୋ ବୁଲାଇ ସେଥିରୁ କିଛି ସମୟ ପାଇଁ ମଶା ଧୂଅାଁ ଛାଡ଼ି ଦେଲେ, ମଶାବଂଶ ଲୋପ ପାଇବେନି । ରାଜକୋଷରୁ ଗଣମାଧ୍ୟମକୁ କୋଟି କୋଟି ଟଙ୍କାର ବିଜ୍ଞାପନ ଦେଇ ଆଦର୍ଶ ମୁଖ୍ୟମନ୍ତ୍ରୀ ବୋଲାଇବା ନବୀନଙ୍କ ପାଇଁ ଯେତିକି ସହଜ । ତାଙ୍କ ସଫଳ ଶାସନକୁ ବିଫଳ କରିବା ଦିଗରେ ଡେଙ୍ଗୁ ସେତିକି ଚତୁର ।

Related

News