ସରକାର-କୃଷକ ସଙ୍ଗଠନ ମଧ୍ୟରେ ଆଜି ଆଲୋଚନା

  • 04-Jan-2021
  • 0 Comments


ନୂଆଦିଲ୍ଲୀରେ କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟରେ ପରବର୍ତ୍ତୀ ପର୍ୟ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। ଗତମାସ ୩୦ ତାରିଖରେ ଦୁଇ ପକ୍ଷଙ୍କ ମଧ୍ୟରେ ଷଷ୍ଠ ପର୍ୟ୍ୟାୟ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଙ୍ଗଠନଗୁଡ଼ିକୁ ଆଶ୍ୱାସନା ଦେଇଥିଲେ। ତେବେ ଏହାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ। ଶ୍ରୀ ତୋମାର କହିଥିଲେ, କୃଷକ ସଙ୍ଗଠନ
ପକ୍ଷରୁ ଉତ୍‍ଥାପିତ କରାଯାଇଥିବା ୪ଟି ପ୍ରସଙ୍ଗ ମଧ୍ୟରୁ ୨ଟି ଉପରେ ସହମତି ପ୍ରକାଶ ପାଇଛି। ପ୍ରଥମଟି ହେଉଛି – ପରିବେଶ ଜନିତ ଅଧ୍ୟାଦେଶ ଏବଂ ଦ୍ୱିତୀୟଟି ବିଦ୍ୟୁତ୍‍ ଆଇନ। ସେହିଭଳି ଗତ ବୈଠକରେ ମଣ୍ଡି ବ୍ୟବସ୍ଥା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବଭଳି ଚାଲୁ ରହିବ ବୋଲି କୃଷିମନ୍ତ୍ରୀ କୃଷକ ସଙ୍ଗଠନ ପ୍ରତିନିଧିମାନଙ୍କୁ କଥା ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କାର୍ୟ୍ୟକାରୀ କରୁଥିବା କୃଷି ଆଇନଗୁଡ଼ିକୁ ରଦ୍ଦ କରିବାକୁ ସଙ୍ଗଠନ ପକ୍ଷରୁ ହେଉଥିବା ଦାବି ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ କହିଛନ୍ତି, ଚାଷୀମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଆଇନଗୁଡ଼ିକର ସାମ୍ବିଧାନିକ ବୈଧତା ତର୍ଜମା କରିବା ଲାଗି ସମ୍ପୃକ୍ତ କମିଟି ନିକଟକୁ ପଠାଯାଇପାରେ। ତେବେ ସରକାର ଚାଷୀମାନଙ୍କର ସମସ୍ତ ପ୍ରକାର ସମସ୍ୟାକୁ ଖୋଲା ହୃଦୟରେ ସମାଧାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ତୋମାର ସଙ୍ଗଠନ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Related

News