ନବୀନଙ୍କ ‘ମୋ ସାଇକେଲ’ ବ୍ରେକ୍ ଫେଲ୍

  • 16-Jan-2021
  • 0 Comments


ସହରକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ‘ମୋ ସାଇକେଲ’ ଯୋଜନା । ନିଜେ ନବୀନ କେବେ ଉକ୍ତ ସାଇକେଲ ଚଢ଼ି ନଥିଲେ ମଧ୍ୟ ଭୁବନେଶ୍ୱର ବାସିନ୍ଦାଙ୍କୁ ସାଇକେଲରେ ବୁଲିବାର ଦୃଶ୍ୟ ଦେଖିବା ଆଶା ରଖିଥିଲେ । ମାତ୍ର ବାବୁଙ୍କ ଆଶା ମଉଳିଯାଇଛିି । ଏକଦା ଭୁବନେଶ୍ୱରରେ ହକି ମହୋତ୍ସବ ଅବସରରେ କିଣା ଯାଇଥିବା ସାଇକେଲ ସହରର ବିଭିନ୍ନ ଛକରେ ଖରା ବର୍ଷା ଶୀତକାକରରେ ପଡ଼ି ଖତ ହେବାକୁ ବସିଲାଣି ।  ଲୋକଙ୍କ ଝାଳବୁହା ଧନରେ କିଣା ଯାଇଥିବା ସାଇକେଲ ଏବେ କାହା କାମରେ ଆସୁନି ।

ସ୍ମାର୍ଟସିିଟିରେ ଜନ ଅପେକ୍ଷା ଯାନ ସଂଖ୍ୟା ଅଧିକ ହେତୁ ସାଇକଲ ଚାଳନା ସଂସ୍କୃତି ବିକାଶ ନିମନ୍ତେ ବିଏମ୍‌ସି ଓ ସ୍ମାର୍ଟସିଟି ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ହେଲେ ବାସ୍ତବ ସ୍ଥିତି ଓଲଟା। ୨ହଜାର ମୋ ସାଇକଲ ଏବଂ ରାହାଗିରି, ପଥୋତ୍ସବ ନିମନ୍ତେ ଆସିଥିବା ୪ଶହରୁ ଊର୍ଦ୍ଧ୍ବ ସାଇକଲ ବାଟକୁ ଆସୁନି। ବିଏମ୍‌ସି କାର୍ୟ୍ୟାଳୟ ଏବଂ ବିଭିନ୍ନ ରାସ୍ତାକଡ଼ରେ ଖତ ଖାଉଛି ସାଇକଲ। ମୋ ସାଇକଲ ଖୋଜାଯାଉଛି ବୋଲି ବିଏମ୍‌ସି କହୁଛି। ନିଜ ସାଇକଲର ହିସାବ ରଖୁ ନ ଥିବା ବିଏମ୍‌ସି ସହରରେ ସାଇକଲ ଚାଳନା ବୃଦ୍ଧି କରି ସାଇକଲ ସଂସ୍କୃତି ସୃଷ୍ଟି ଲକ୍ଷ୍ୟରେ ପ୍ରତି ଶୁକ୍ରବାର ‘ସାଇକଲଗିରି’ କାର୍ୟ୍ୟକ୍ରମ କରୁଛି। ବଛାବଛା ସାଇକଲ ଚାଳକ ଏବଂ ସାଇକଲପ୍ରେମୀଙ୍କୁ ସାମିଲ କରାଯାଇ ପ୍ରତିଯୋଗିତା ହେଉଛି। ସହରରେ ବଡ଼ବଡ଼ ହୋର୍ଡିଂ ମଧ୍ୟ ଲାଗିଛି। ହେଲେ ସାଇକଲ ପଥରେ ଗଡୁ ନ ଥିବା ଦେଖିବାକୁ ମିଳୁଛି। ସାଇକଲ ଚାଳନା ନିମନ୍ତେ ରାସ୍ତା ସୁଗମ ନାହିଁ। କେଉଁଠି ଉଠାଦୋକାନୀଙ୍କ କବ୍‌ଜାରେ ତ ଆଉ କେଉଁ ଟାଇଲ୍‌ ଉଠି ଗଲାଣି।

୨୬ ନଭେମ୍ବର ୨୦୧୮ରେ ଭୁବନେଶ୍ୱରରେ ପବ୍ଲିକ୍‍ ବାଇସାଇକଲ୍‍ ସେୟାରିଂ(ପିବିଏସ୍‍) ଆରମ୍ଭ ହୋଇଥିଲା। ୟାନା ଓ ୟୁଲୁ କମ୍ପାନୀର ୫୦୦ ଲେଖାଏଁ ଏବଂ ହେକ୍ସିର ୧୦୦୦ ଏପରି ମୋଟ ୨ହଜାର ମୋ ସାଇକଲ କିଣିଥିଲା ସ୍ମାର୍ଟସିଟି। କ୍ୟାପିଟାଲ୍‍ ରିଜିଅନ୍‍ ଅର୍ବାନ୍‍ ଟ୍ରାନ୍ସପୋର୍ଟ (କ୍ରୁଟ୍‌)କୁ ମୋ ସାଇକଲ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। କିଛି ସଂସ୍ଥା ଏବଂ ବ୍ୟକ୍ତିବିଶେଷ ବିଏମ୍‌ସିକୁ ସାଇକଲ ଦେଇଥିଲେ। ହେଲେ ଏଗୁଡ଼ିକ ଏବେ ବିଏମ୍‌ସି ସଙ୍ଗାରେ ପଡ଼ିଛି। ବର୍ତ୍ତମାନ ଆଉ ପାଖାପାଖି ଦେଢ଼ ଶହ ସାଇକଲ ଥିଲେ ବି ଏଗୁଡ଼ିକ ଅଚଳ ଅବସ୍ଥାରେ ଅଛି। ମରାମତି କାମ ଚାଲିଛି।

ରାଜଧାନୀର ପ୍ରମୁଖ ଛକ ଏବଂ ମୋ ବସ୍‌ ଷ୍ଟପ୍‌ ନିକଟରେ ମୋ ସାଇକଲ ନିମନ୍ତେ ପାଖାପାଖି ୪୦୦ ଷ୍ଟେସନ ରହିଛି। ପ୍ରତି ସାଇକଲରେ ଜିପିଏସ୍‌ ସିଷ୍ଟମ୍‌ ଥିବାବେଳେ ଏଗୁଡ଼ିକ ଏବେ ଅଚଳ ଅବସ୍ଥାରେ ରହିଛି। ଫଳରେ ଚାଳକ ମୋ ସାଇକଲ ଭଡ଼ାରେ ନେଇପାରୁ ନାହାନ୍ତି। ଜିପିଏସ୍‌ ଅଚଳ ଥିବାରୁ କେଉଁ ସାଇକଲ କେଉଁଠି ପଡ଼ିଛି ତା’ର ଖୋଜ୍‌ ଖବର ବିଏମ୍‌ସି ନିକଟରେ ରହୁନାହିଁ। ଏହାର ଫାଇଦା ନେଇ ଦୁର୍ବୃତ୍ତ ସାଇକଲ ଚୋରି କରି ନେଇଯାଉଛନ୍ତି। ପାଖାପାଖି ୨ଶହରୁ ଊର୍ଦ୍ଧ୍ବ ସାଇକଲର ହିସାବ ବିଏମ୍‌ସି ପାଖରେ ନ ଥିବା ଜଣାପଡ଼ିିଛି। ସେହିପରି ମୋ ସାଇକଲ ଷ୍ଟେସନରେ ହେଲ୍‌ମେଟ୍‌ ରହୁନି କି ଚାଳକଙ୍କୁ ଦିଆଯାଉନି।

Related

News