ବାଲିମାଫିଆଙ୍କ କବ୍ଜାରେ ସାଳନ୍ଦୀ ନଦୀ 

  • 21-May-2022
  • 0 Comments


ଭଦ୍ରକ, (ବିଡିଏନ୍ଏସ୍): ସାଳନ୍ଦୀ ନଦୀର ଏକାଧିକ ଘାଟରୁ ବେଆଇନ ବାଲି ଚାଲାଣ କରାଯିବା ଫଳରେ ଉଭୟ ସରକାର ଓ ଜନସାଧାରଣ କ୍ଷତିଗ୍ରସ୍ତ ହେଉଛନ୍ତି । ମାତ୍ର କିଛି ଅସାଧୁ ସରକାରୀ କର୍ମଚାରୀ ଓ ବାଲି ମାଫିଆମାନେ ଲାଭବାନ୍ ହେଉଛନ୍ତି । ଦିନକୁ ଦିନ ସାଳନ୍ଦୀ ଘାଟ ସାଧାରଣ ଲୋକଙ୍କ ପାଇଁ ଅନୁପଯୋଗୀ ହୋଇଯାଉଛି । ଦିନରାତି ଟ୍ରକ ଓ ଟ୍ରାକ୍ଟରରେ ବାଲି ଚାଲାଣ କରାଯାଉଛି । ଘାଟ ନିଲାମଧାରୀମାନେ ଦୈନିକ ଯେତିକି ପରିମାଣର ବାଲି ଉଠାଇବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ତା’ଠାରୁ ଅଧିକ ପରିମାଣର ବାଲି ଉଠାଉଛନ୍ତି । ଏପରି କରାଯିବା ଫଳରେ ବର୍ଷାଦିନରେ ସାଳନ୍ଦୀ ନଦୀର ଗତିପଥ ପ୍ରଭାବିତ ହେବାର ଆଶଙ୍କା ରହିଛି । ରାଜସ୍ୱ ଅଧିକାରୀଙ୍କ ଜାଣତରେ ସବୁକିଛି ବେଆଇନ କାମ ଚାଲିଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି । ବାଲି ମାଫିଆଙ୍କ କବଳରୁ ନଦୀକୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନର ତଳଠାରୁ ଆରମ୍ଭ କରି ଉପର ଅଧିକାରୀମାନେ ସମର୍ପଣ ଭାବ ରଖିବା ଦରକାର । ସମସ୍ତେ ମିଳିମିଶି ବାଲି ମାଫିଆଙ୍କୁ ସାବାଡ୍ କରିବା ଦରକାର ।

ସ୍ଥାନୀୟ ପରିବେଶ ବିଜ୍ଞାନୀମାନେ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଦରକାର । ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ଦରକାର । ମାତ୍ର ପ୍ରଶାସନର କିଛି କର୍ମଚାରୀଙ୍କ ଅକୁଣ୍ଠ ସହଯୋଗ ପାଇ ବାଲି ମାଫିଆମାନେ ଉଭୟ ନଦୀ ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । 

Related

News