ବିଜେଡିକୁ ବଦନାମ କରୁଛନ୍ତି ବିଧାୟକଙ୍କ ପୁଅ

  • 17-Jun-2021
  • 0 Comments


ଦୀର୍ଘଦିନ ଧରି କ୍ଷମତାରେ ରହିବା ଫଳରେ ବିଜେଡି ବିଧାୟକ ଓ ସେମାନଙ୍କ ପରିବାର ଲୋକଙ୍କ ଔଦ୍ଧତ୍ୟ କ୍ରମେ ବୃଦ୍ଧି ପାଇବାକୁ ଲାଗିଛି । ଘଷିପୁରା ବିଧାୟକଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭୟ ପାଇ  ଅସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ  ଶୁଣିବାକୁ ମିଳିଛିି । ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଦନପୁର ଅଞ୍ଚଳର ଜଣେ ଯୁବତୀ ହରିପୁର ଗ୍ରାମର ସୁଜିତ ଜେନା ନାମକ ଜଣେ ଯୁବକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ବିବାହ ପ୍ରଲୋଭନ ଦେଖାଇ ସୁଜିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସୁଜିତ ବିବାହ କରିଥିବା ନେଇ ଜାଣିବା ପରେ ଯୁବତୀ ପ୍ରତିବାଦ କରିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ଏନେଇ ଗତ ୧୫ ତାରିଖ ଦିନ ରାମଚନ୍ଦ୍ରପୁର ଥାନାରେ ପୀଡ଼ିତା ଏତଲା ଦେଇଥିଲେ । ତେବେ ଏତଲା ଦେବା ପରେ ସଂପୃକ୍ତ ଯୁବତୀଙ୍କ ଘରକୁ ଘଷିପୁରା ବିଧାୟକ ପୁଅ ଦେବାଶିଷ ପାତ୍ର ଯାଇ ଏତଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ। 

ପୀଡ଼ିତାଙ୍କ ପରିବାର ଲୋକେ ଦେବାଶିଷ ପାତ୍ର ଓ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟଙ୍କ ଭାଇ ପ୍ରଦୀପ ସାହୁ ପୀଡ଼ିତାଙ୍କ ଘରକୁ ଯାଇ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ ସୁଜିତକୁ ଗିରଫ କରି କୋର୍ଟଚାଲାଣ କରିଥିଲା ବେଳେ ପୀଡ଼ିତା ପରିବାରକୁ ଧମକ ଦେଇଥିବା ଅଭିଯୋଗରେ ବିଧାୟକଙ୍କ ପୁଅ ଦେବାଶିଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Related

News