ଖଣ୍ଡହତାବାସୀଙ୍କୁ ମିଳୁନି ବିଶୁଦ୍ଧ ପାଇପଜଳ

  • 03-Dec-2020
  • 0 Comments


ନବୀନଙ୍କ ଲୋକପି୍ରୟ ଯୋଜନା:

ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ଲୋକଙ୍କ ସାହସ ନାହିଁ

ଚାରି ଚାରିଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇ ନବୀନ ପଟ୍ଟନାୟକ ଲୋକଙ୍କୁ ଉତ୍ତମ ଶାସନ ଦେବାକୁ ସକ୍ଷମ ହୋଇପାରିଲେନି । ପ୍ରଶାସନକୁ ଲୋକଙ୍କ ନିକଟକୁ ନେବାର ପ୍ରୟାସ କ୍ରମେ ପାଣିର ଗାର ପାଲଟିଛି । ଲୋକଙ୍କୁ ବିଶୁଦ୍ଧ ପାଇପ ଜଳଯୋଗାଣ ଯୋଜନା କାର୍ଯ୍ୟକାରୀ କରି ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ହାତଗଣତି ପ୍ରକଳ୍ପକୁ ଛାଡ଼ିଦେଲେ ଅଧିକାଂଶ ପ୍ରକଳ୍ପ ଲୋକଙ୍କ କାମରେ ଆସୁନି । କଟକ ଜିଲ୍ଲାର ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼ନାଉପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡହତା ଗ୍ରାମବାସୀଙ୍କୁ ବିଶୁଦ୍ଧ ପାଇପ ଜଳ ଯୋଗାଇ ଦେବାପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମହାନଦୀ ଗର୍ଭରୁ ପାଣି ସଂଗ୍ରହ କରିି ତାକୁ ବିଶୋଧନ କରିବା ପାଇଁ ଖଣ୍ଡହତା ଗ୍ରାମରେ ପମ୍ପ ହାଉସଟିଏ ନିର୍ମାଣ କରିଛନ୍ତି । ଲୋକଙ୍କ ଘର ପାଖରେ ପାଣି ପହଞ୍ଚାଇବା ପାଇଁ ଗ୍ରାମଦାଣ୍ଡରେ ପାଇପ ବିଛା ଯାଇଛି । ଠିକଣା ସମୟରେ ପମ୍ପ ଡ୍ରାଇଭରକୁ ନିଯୁକ୍ତ କରାଯାଇଛି । ସବୁ ଠିକଠାକ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାଇପ ପାଣି ମିଳିଲାନି । ମାତ୍ର ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଛି ବୋଲି ସରକାରୀ ନଥିପତ୍ରରେ ଦର୍ଶାଯାଇଛିି । ଏ ବାବଦକୁ ପମ୍ପ ଡ୍ରାଇଭର ମାସକୁ ମାସ ଦରମା ପାଉଛନ୍ତି । 
ଲୋକପି୍ରୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗଡ଼ରେ ଏପରି ଅନିୟମିତତା ଦେଖିବାକୁ ମିଳିଛି । ସ୍ୱାଇଁଙ୍କ ପ୍ରତାପରେ ଲୋକମାନେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି । ଏପରିକି ବିରୋଧୀ ଦଳର ଛାମୁଆ ନେତାମାନେ ଚୁପ ରହିଛନ୍ତି । ଲୋକମାନେ କହନ୍ତି, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେବଳ ଭୋଟ ମାଗିିବା ପାଇଁ ତିଗିରିଆ ଅଞ୍ଚଳକୁ ଯାଆନ୍ତି । ନିର୍ବାଚନ ପରେ ତାଙ୍କ ଗୋଡ଼ ତିଗିିରିଆ ଅଞ୍ଚଳରେ ପଡ଼େନି । ସଦର ମହକୁମାରୁ ଚେଲାଚାମୁୁଣ୍ଡାଙ୍କ ଜରିଆରେ ସବୁ କାମ ତଦାରଖ କରନ୍ତି । ମନ୍ତ୍ରୀ ସ୍ୱାଇଁଙ୍କ ନିକଟତମ ମହଲ କହନ୍ତି, ରାଜାଭାଇ ଚମକ୍ରାର ଭାବେ ବୁଢ଼ିଆଣୀ ଜାଲ ବିଛାଇ ଅନୁଗତଙ୍କ ଜରିଆରେ ବିଭିନ୍ନ ସରକାରୀ ପ୍ରକଳ୍ପରୁ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କା ସାଉଁଟିବାର ବନେ୍ଦାବସ୍ତ କରିଛନ୍ତି । ସେହି ଟଙ୍କାକୁ ମୋ ନିର୍ବାଚନ ଯୋଜନାରେ ଖଟେଇ ଭୋଟ ହାତେଇ ନିଅନ୍ତି । ଯାହା ଜଣାଯାଉଛି, ରାଜା ସ୍ୱାଇଁ ଭଲଭାବରେ ଭୋଟରଙ୍କ ନାଡ଼ି ଚିପି ସାରିଛନ୍ତି ।

କିଛିଦିନ ତଳେ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସ ଖଣ୍ଡହତା ଗ୍ରାମ ଗସ୍ତ କରି ଅଧାପନ୍ତରିଆ ପାଇପ ଜଳଯୋଗାଣ ପ୍ରକଳ୍ପଟିକୁ ଦେଖିଥିଲେ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ବୁଝାଇଥିଲେ । ମନ୍ତ୍ରୀଙ୍କୁ ସେ ବିଷୟରେ ପ୍ରଶ୍ନ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଜନୈକ ଗ୍ରାମବାସୀ ରୋକଠୋକ କହିଲେ ଯେ ସେଇଟା କୁଆଡ଼େ ଏଇଟା ବିଜେଡି ଗଡ଼ । ସେଠି ଅନ୍ୟ ଦଳର କୌଣସି ପେଞ୍ଚ କାମ କରିବନି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଲୋକମାନେ ସରକାରଙ୍କ ବିପକ୍ଷରେ ନାନାକଥା କହୁଥିଲେ ମଧ୍ୟ ନିର୍ବାଚନରେ ଅନ୍ୟ ଦଳକୁ ପାଖରେ ପୁରାଇବାକୁ ନାରାଜ । ବିଜେଡି ଗଡ଼ରେ ଲୋକମାନଙ୍କୁ ପାଇପଜଳ ଦରକାର ନାହିଁ ବୋଲି ବୋଧେ ସରକାର ବୁଝି ପାରିଛନ୍ତି । 

Related

News