ବଢୁଛି ତାତି, ବଢୁଛି ଜଳକଷ୍ଟ

  • 07-Apr-2021
  • 0 Comments


ଭଦ୍ରକ ଜିଲ୍ଲାର ଆଗରପଡ଼ା ଓ ତା’ର ଆଖପାଖ ଅଂଚଳରେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି । ଗୁଳୁଗୁଳି ଓ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଭୂତଳ ଜଳସ୍ତର ତଳକୁ ଚାଲିଯିବା ଫଳରେ ନଳକୂପରୁ ପାଣି ବାହାରିବା କମିଯାଇଛି । ୭/୮ ମାସ ଧରି ବର୍ଷା ନହେବାରୁ ଗ୍ରାମାଂଚଳରେ ପାନୀୟ ଜଳର ଅଭାବ ପରିଲକ୍ଷିତ ହୋଇଛି । ପ୍ରବଳ ଗରମ କାରଣରୁ ସକାଳ ୧୦ଟାରେ ରାସ୍ତାଘାଟ ଓ ବଜାରରେ ଲୋକଙ୍କ ସଂଖ୍ୟା କମିଯାଉଛି । ଅଂଶୁଘାତ ଆଶଙ୍କାରେ ଲୋକମାନେ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି । 
ସରକାରଙ୍କ ପାନୀୟ ଜଳଯୋଗାଣ ବ୍ୟବସ୍ଥା ପ୍ରତି ଲୋକଙ୍କ ଭରସା ପାଉନି । ପ୍ରଚଣ୍ଡ ଖରା ହେତୁ ଗଛଗୁଡ଼ିକ ପତ୍ରଛଡ଼ା ଦେଉଛନ୍ତି । କେନାଲ ଶୁଖିଲା ପଡ଼ିଥିବାରୁ ଗୋରୁଗାଈ, ଛେଳିମେଣ୍ଢା ପ୍ରଭୃତି ଗୃହପାଳିତ ପଶୁ ପାଣି ବିନା ହଇରାଣ ହେଉଛନ୍ତି । ସରକାରଙ୍କ ଜଳସେଚନ ବିଭାଗ ତରଫରୁ ପ୍ରତିବର୍ଷ ଗୋରୁଗାଈଙ୍କ ପାଇଁ କେନାଲରେ ପାଣି ଛଡ଼ା ଯାଇଥାଏ । ମାତ୍ର ଚଳିତ ବର୍ଷ ଜଳସେଚନ ବିଭାଗର ନିଦ ଭାଙ୍ଗିନି । 
 

ପ୍ରତିବର୍ଷ ଗ୍ରାମପଂଚାୟତ ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରାଯାଇଥାଏ । ମାତ୍ର ଏବର୍ଷ ସେଭଳି କିଛି ବ୍ୟବସ୍ଥା ନାହିଁ । ପ୍ରତି ଗ୍ରାମ ପଂଚାୟତରେ ଜଳଯୋଗାଣ ନିମନ୍ତେ ପମ୍ପହାଉସ ପ୍ରତିଷ୍ଠା କରାଯାଇଛିି ମାତ୍ର ସେଗୁଡ଼ିକ ଠିକ୍ ଭାବେ କାମ କରୁନି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଚଳ ନଳକୂପଗୁଡ଼ିକ ମରାମତି କରି ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି ।   

Related

News