୩୧ରେ ଯୁକ୍ତଦୁଇ ପରୀକ୍ଷା ଫଳ

  • 29-Jun-2021
  • 0 Comments


ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ଜୁଲାଇ ୩୧ ତାରିଖ ଧାର୍ଯ୍ୟ କରାଯାଇଛି । କରୋନା ମହାମାରୀ କାରଣରୁ ପରୀକ୍ଷାର୍ଥୀମାନେ ଅଫ୍ ଲାଇନ ଅବା ଅନ୍ ଲାଇନ୍ରେ ପରୀକ୍ଷା ଦେଇ ନଥିଲେ ମଧ୍ୟ  ପରିଷଦ ପକ୍ଷରୁ ଅନୁମୋଦିତ ମାର୍କିଂ ସୂତ୍ର ଅନୁସାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ପ୍ରତି ଅସନ୍ତୋଷ ପ୍ରକାଶ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ପରୀକ୍ଷାର ମାର୍ଗ ରଖାଯାଇଛି ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଉଛି। ପୂର୍ବରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରିଥିଲା ବିଭାଗ। ଅପରପକ୍ଷରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି। କିନ୍ତୁ ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ବିଦ୍ୟାର୍ଥ ଉତ୍ତୀର୍ଣ୍ଣ ହୋଇଥିବାରୁ ସିଟ୍‍ ଅଭାବ ପଡ଼ିବ ବୋଲି କୁହାଯାଉଛି। ସିଟ୍‍ ଅଭାବ ହେଲେ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।

ଏହାକୁ ନେଇ ମନ୍ତ୍ରୀ ଶ୍ରୀ ଦାଶ ବିବୃତି ରଖିଛନ୍ତି ଯେ, ଚଳିତ ବର୍ଷ ଯୁକ୍ତଦୁଇ ପ୍ରଥମ ବର୍ଷରେ ସିଟ୍‍ ଅଭାବ ରହିବ ନାହିଁ। ବଡ଼ ବଡ଼ ମହାବିଦ୍ୟାଳୟରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ରହିଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦେଖି ଆବଶ୍ୟକସ୍ଥଳେ ମହାବିଦ୍ୟାଳୟମାନଙ୍କରେ ସିଟ୍‍ ବୃଦ୍ଧି କରାଯିବ। 

Related

News