କଟକ ବଡ଼ ଡାକ୍ତରଖାନାର ଲିଭର ପ୍ରତିରୋପଣକୁ କୋମା 

  • 05-Jan-2021
  • 0 Comments


ନବୀକରଣ କଲେ କି ହେବ ରୋଗୀଙ୍କ କାମରେ ନଲାଗିଲେ, ଏହିପରି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଛି । ରାଜ୍ୟ ସରକାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆନ୍ତର୍ଜାତିକ ରୂପ ଦେବା ପାଇଁ ନାନା ଯୋଜନା ଆଳରେ କୋଟିକୋଟି ଟଙ୍କା ମଞ୍ଜୁର କରୁଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଲାଗୁନି । କଟକ ବଡ଼ ଡାକ୍ତରଖାନାରେ ଲିଭର(ଯକୃତ) ପ୍ରତିରୋପଣ ନେଇ ଆଶଙ୍କା ସୃଷ୍ଟିହୋଇଛି। ୧୦ବର୍ଷ ପରେ ବି ପାଦେ ଆଗେଇ ପାରିନି ସ୍ୱାସ୍ଥ୍ୟ ବିଭାଗର ଏହି ନିଷ୍ପତ୍ତି। ପ୍ରତିରୋପଣ ପାଇଁ ୧୭କୋଟି ଟଙ୍କା ବ୍ୟୟରେ କ୍ରୟ କରାଯାଇଥିବା ଯନ୍ତ୍ରପାତି, ଷ୍ଟ୍ରେରିଲାଇଜେସନ ମେସିନ ଖତ ଖାଉଛି। ଲିଭର ପ୍ରତିରୋପଣ ପାଇଁ ତିଆରି ହୋଇଥିବା ଅସ୍ତ୍ରୋପଚାର ପ୍ରକୋଷ୍ଠ ଏବେ ଭୂତକୋଠି ପାଲଟିଛି। କେବଳ ଓଟି ଜଗିବା ପାଇଁ ଜଣେ ମାତ୍ର ସେବିକା ରହିଛନ୍ତି। ସେ ସକାଳୁ ସଞ୍ଜ ଯାଏ ଓଟି ଜଗିବା ଡ୍ୟୁଟି କରୁଛନ୍ତି। ଏମିତି ୪ବର୍ଷ ହେଲା ସମ୍ପୃକ୍ତା ସେବିକା ଓଟି ଜଗିଛନ୍ତି। କେବଳ ସେବିକା ନୁହନ୍ତି, ଲିଭର ପ୍ରତିରୋପଣ ପାଇଁ ସରକାରୀ ଅର୍ଥରେ ତାଲିମ ନେଇଥିବା ଡାକ୍ତର ସରକାରୀ ଚାକିରି ଛାଡି ଏବେ ଘରୋଇ ହସ୍ପିଟାଲରେ ଲିଭର ପ୍ରତିରୋପଣ କରୁଛନ୍ତି। ଲିଭର ପ୍ରତିରୋପଣ ଆରମ୍ଭ ହେବାର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏସ୍‍ସିବିରେ କେବଳ କାଗଜକଲମରେ ଲିଭର ପ୍ରତିରୋପଣ କାର୍ୟ୍ୟ ଆଗେଇ ଚାଲିଛି।

କଟକ ବଡ଼ ଡାକ୍ତରଖାନାରେ କିଡନୀ ପ୍ରତିରୋପଣ ପୂର୍ବରୁ ଲିଭର ପ୍ରତିରୋପଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଲିଭର ପ୍ରତିରୋପଣ ପାଇଁ ୨୦୧୦-୧୧ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଉଦ୍ୟମରେ ହିଁ ଲିଭର ପ୍ରତିରୋପଣ ପାଇଁ ସରକାର ବିଶେଷ ତତ୍ପରତା ପ୍ରକାଶ କରିଥିଲେ। ପ୍ରାୟ ୧୭କୋଟି ଟଙ୍କା ବିଭାଗ ପକ୍ଷରୁ ପ୍ରତିରୋପଣ ପାଇଁ ବ୍ୟୟ ବରାଦ କରାଯାଇଥିଲା। ପ୍ରାଥମିକ ପର୍ୟ୍ୟାୟରେ ଆଶୁଚିକିତ୍ସା ବିଭାଗର ୩ୟ ଓ ୪ର୍ଥ ମହଲାରେ ଲିଭର ପ୍ରତିରୋପଣ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ୩ୟ ମହଲାରେ ଷ୍ଟେରିଲାଇଜେସନ ପ୍ରକୋଷ୍ଠ ଏବଂ ୪ର୍ଥ ମହଲାରେ ଏକ ଅତ୍ୟାଧୁନିକ ମଡୁଲାର ଅସ୍ତ୍ରୋପଚାର ଗୃହ(ଓଟି) ତିଆରି ସକାଶେ ସରକାର ଅର୍ଥ ଯୋଗାଇ ଦେଇଥିଲେ। ଷ୍ଟେରିଲାଇଜେସନ ସାମଗ୍ରୀ ପାଇଁ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାକୁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଥିଲା। 

ସମ୍ପୃକ୍ତ ସଂସ୍ଥା ଏ ପର୍ୟ୍ୟନ୍ତ କୌଣସି ଯନ୍ତ୍ରପାତି ମେଡିକାଲରେ ସ୍ଥାପନ କରିନଥିବାବେଳେ ଲକ୍ଷାଧିକ ଟଙ୍କା ନେଇଥିବା ଜଣାପଡ଼ିଛି। ମଡୁଲାର ଓଟି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଟେଣ୍ଡର ପାଇଥିବା ସଂସ୍ଥାକୁ ଏ ପର୍ୟ୍ୟନ୍ତ କାର୍ୟ୍ୟାଦେଶ ଦିଆଯାଇନାହିଁ। ଓଟି କିମ୍ବା ଷ୍ଟେରିଲାଇଜେସନ ପ୍ରକୋଷ୍ଠ ପ୍ରସ୍ତୁତ ହୋଇନଥିବାବେଳେ ୨୦୧୪ରୁ ୨୦୧୬ ମଧ୍ୟରେ ଦୁଇଟି ପର୍ୟ୍ୟାୟରେ ୮ଜଣ ଡାକ୍ତର, ଜଣେ ରେଡିଓଲୋଜିଷ୍ଟ ଓ ୧୧ଜଣ ସେବିକାଙ୍କୁ ତାଲିମ ସକାଶେ ନୂଆଦିଲ୍ଲୀସ୍ଥିତ ଆପୋଲୋ ଇନ୍ଦ୍ରପସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ଏକ ମାସ ପାଇଁ ଏହିସବୁ କର୍ମଚାରୀ ଓ ଡାକ୍ତର ଉକ୍ତ ହସ୍ପିଟାଲରେ ତାଲିମ ନେଇଥିଲେ। ୨୦୧୪ ଓ ୨୦୧୬ ଦୁଇଟି ପର୍ୟ୍ୟାୟରେ ଡାକ୍ତର, ସେବିକା ଓ ପାରାମେଡିକାଲ କର୍ମଚାରୀଙ୍କୁ ଇନ୍ଦ୍ରପ୍ରସ୍ଥ ହସ୍ପିଟାଲରେ ତାଲିମ ଦିଆଯାଇଥିଲା। ଏଥିମଧ୍ୟରେ ତାଲିମପ୍ରାପ୍ତ ଦୁଇଜଣ ଡାକ୍ତର ଚାକିରି ଛାଡି ଘରୋଇ ହସ୍ପିଟାଲରେ ନିଯୁକ୍ତି ହୋଇ ଲିଭର ପ୍ରତିରୋପଣରେ ସକ୍ରିୟ ଭୂମିକା ତୁଲାଉଥିବା ଜଣାପଡ଼ିଛି। 
 

ସେହିପରି ପ୍ରତିରୋପଣ ପାଇଁ କ୍ରୟ କରାଯାଇଥିବା ୪ଟି ଭେଣ୍ଟିଲେଟର ମଧ୍ୟରୁ ବର୍ତ୍ତମାନ ୨ଟି ଶିଶୁରୋଗ ଏବଂ ୨ଟି ସେଣ୍ଟ୍ରାଲ ଆଇସିୟୁରେ ଶୋଭାପାଉଛି। ୨ଟି ସ୍ପେଶ ଲାଇଟରୁ ଗୋଟିଏ ନଷ୍ଟ ହୋଇଗଲାଣି। ସେହିପରି ଷ୍ଟ୍ରେରିଲାଇଜର ମେସିନଟି ବର୍ତ୍ତମାନ ଅଧୀକ୍ଷକଙ୍କ କାର୍ୟ୍ୟାଳୟରେ ପଡ଼ିରହିଥିବା ଜଣାପଡ଼ିଛି। ଲିଭର ପ୍ରତିରୋପଣ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ କିଡନୀ ପ୍ରତିରୋପଣରେ ଏସସିବି ମେଡିକାଲ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟିଚାଲିଛି। ଏ ପର୍ୟ୍ୟନ୍ତ ଏସସିବିରେ ପାଖାପାଖି ୨୦୦ଲୋକଙ୍କର ସଫଳତାର ସହିତ କିଡନୀ ପ୍ରତିରୋପଣ କରାଯାଇସାରିଲାଣି।

Related

News