ଅପରାଧୀଙ୍କ ତ୍ରାଣକର୍ତ୍ତା ନବୀନ ପଟ୍ଟନାୟକ!

  • 05-Jun-2022
  • 0 Comments


ଭୁବନେଶ୍ୱର, (ଭାରତଡେଲି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳର ନବକଳେବର କରିବାକୁ ଯାଉଛନ୍ତି । ତାକୁ କେନ୍ଦ୍ର କରି ନାନା ମୁନି ନାନା ମତ ପ୍ରଦାନ କରୁଛନ୍ତି । କେହି କେହି କହୁଛନ୍ତି, ସଂଗଠନକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ପାଇଁ ସବୁ ମନ୍ତ୍ରୀମାନଙ୍କୁ ଦାୟିତ୍ୱମୁକ୍ତ କରି ଦିଆଯାଇଛି । ସଂଗଠନ ତିଆରି କରିବାରେ ଦକ୍ଷତା ନଥିବା ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇଛି । କେହି କେହି କହୁଛନ୍ତି, ବିଭିନ୍ନ ଅପରାଧରେ ଅଭିଯୁକ୍ତ ମନ୍ତ୍ରୀମାନଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ନିଜକୁ ସ୍ୱଚ୍ଛତାର ଅବତାର ବୋଲି ଦେଖାଇବାକୁ ଚାହିଁଛନ୍ତି । କିଛି ଜିଲ୍ଲାକୁ ମନ୍ତ୍ରୀଶୂନ୍ୟ କରି କିଛି ଜିଲ୍ଲାକୁ ଅଧିକ ପ୍ରାଥମିକତା ଦିଆଯାଇ ବିରୋଧୀଙ୍କ ପତିଆରା କମାଇବାର ଉଦ୍ୟମ କରାଯାଇଛି । ତେବେ ଏସବୁ ମତାମତକୁ ଫେଣ୍ଟି ଦେଲେ ଯେଉଁ ଉତ୍ତର ମିଳୁଛି । ତାହା ହେଉଛି, ଦଳକୁ ପୁନର୍ବାର କ୍ଷମତାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ଗୋଟି ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଟିଏ ସନେ୍ଦହ ଆମ ମନକୁ ଆସୁଛି । ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନାଙ୍କ ଅପରାଧ ପ୍ରବଣତା ସମ୍ପର୍କରେ ଅବଗତ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏତେଦିନ ଧରି ଅଭୟ ପ୍ରଦାନ କରିଥିଲେ କାହିଁକି? 
ସମସ୍ତେ ଜାଣନ୍ତି, ଆମ ମୁଖ୍ୟମନ୍ତ୍ରୀ ବେଲ ଖାଇ କାଉ ମୁଣ୍ଡରେ ଅଠା ବୋଳିବାରେ ମାହିର । ଯାହା କାନ୍ଧରେ ପାଦ ରଖି ଉପରକୁ ଉଠନ୍ତି, ତାକୁ ଆଗ ଗୋଇଠା ମାରି ତଳେ ପକାଇ ଦିଅନ୍ତି । ରାଜ୍ୟବାସୀ ଭଲଭାବରେ ଜାଣିଛନ୍ତି, ମନ୍ତ୍ରୀପଦ ହରାଇଥିବା ବିଧାୟକମାନେ ଗୋଟିଏ ଗୋଟିଏ ଛେଳି, ସେମାନଙ୍କ ଗୋଡ଼ରେ ଧାନଟିଏ ଛିଣ୍ଡିବନି । ଗୋଦରୀ ଲୋ ତୋ ଗୋଡ଼କୁ ଅନା ନୀତିରେ ମନ୍ତ୍ରୀମଣ୍ଡଳର ପୁନର୍ବିନ୍ୟାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ଧୁଆମୁଗ ଦେଖାଇବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ପଞ୍ଜାବୀରେ ଦାଗ ସ୍ପଷ୍ଟ ଦେଖାଯାଉଛି । ଖୋଦ ମୁଖ୍ୟମନ୍ତ୍ରୀ କହିଚନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ ଇଛା ବିନା ଗଛର ପତ୍ରଟେ ମଧ୍ୟ ହଲେନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜ୍ଞା ବିନା ମନ୍ତ୍ରୀମାନେ ଦୁର୍ନୀତି, ଅପରାଧ ଘଟାଇବାକୁ ସାହସ କରିବେ କିପରି?
ଅଭିଯୁକ୍ତ ମନ୍ତ୍ରୀମାନେ ଯାହା କିଛି କରିଛନ୍ତି, ଦଳ ତଥା ଦଳପତିଙ୍କ ସ୍ୱାର୍ଥ ପାଇଁ କରିଛନ୍ତି । ତେଣୁ ନବୀନ ପଟ୍ଟନାୟକ ଆଗ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା କଥା । ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଢେର୍ ବଦନାମ ମୁଣ୍ଡାଇଥିଲେ ସରକାର। ନୟାଗଡ ପରୀ ହତ୍ୟା ମାମଲାରେ ବି ବିରୋଧୀ ଢେର୍ ହଲାପଟା କରିଥିଲେ। ଏସବୁକୁ ବଳି ଯାଇଥିଲା କଳାହାଣ୍ଡି ମମିତା ମୃତ୍ୟୁ ପ୍ରସଙ୍ଗ। ଏହି ତିନି ଘଟଣାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ର ଚର୍ଚ୍ଚାକୁ ଆସିଥିଲେ। ସେ ସମୟରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ ରାଜ୍ୟ ସରକାର। ହେଲେ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମସ୍ତଙ୍କୁ ବାଦ୍ ଦେଇଛନ୍ତି। ଏମାନଙ୍କୁ ନେଇ ଭବିଷ୍ୟତରେ ବିରୋଧୀ ଆଉ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାର ସୁଯୋଗ ନାହିଁ।

ନୟାଗଡ, କଳାହାଣ୍ଡି ମନ୍ତ୍ରୀଶୂନ୍ୟ ହୋଇପଡ଼ିଥିବା ବେଳେ କଟକ ଜଣେ ଟାଣୁଆ ମନ୍ତ୍ରୀଙ୍କୁ ହରାଇଲା।
ହେଲେ ଏ ପାଳି ଅତ୍ୟନ୍ତ ଧୈର୍ୟ୍ୟର ସହିତ ନବୀନ ମନ୍ତ୍ରିମାନଙ୍କୁ ସ୍ବଚ୍ଛ ହେବା ଲାଗି ସୁଯୋଗ ଦେଇଥିଲେ। ତିନିଟି ଯାକ ପ୍ରସଙ୍ଗରେ ମାମଲାର ଗତି ଯାହା ହୋଇଥାଉନା କାହିଁକି, ସାଧାରଣରେ ଏହି ମନ୍ତ୍ରୀମାନେ ନିଜ ଭାବମୂର୍ତିକୁ ଉଜ୍ଜଳ କରିପାରିଲେ ନାହିଁ। ଏହାର ପରିମାଣ ସ୍ବରୂପ ଏବେ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି।
ଗଞ୍ଜାମ ଜିଲ୍ଲାର ହେଭିୱେଟ୍ ନେତା ସୂର୍ୟ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦରୁ ନବୀନ ବିଦା କରିଦେଇଛନ୍ତି। ଅନ୍ୟ ତିନି ଜଣ ବରିଷ୍ଠ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ, ପଦ୍ମନାଭ ବେହେରାଙ୍କୁ ବି ବିଦା କରାଯାଇଛି। ସେହିଭଳି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାଏକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ପ୍ରମୁଖଙ୍କୁ ପଦବି ହରାଇବାକୁ ପଡ଼ିଛି।

Related

News