‘କରୋନା ପରେ ଆସୁଛି ମହାସଙ୍କଟ’

  • 02-May-2021
  • 0 Comments


ସଟ୍ ଡାଉନ୍ ଅବା ଲକ୍ ଡାଉନ୍ ଲାଗୁ ହେଲେ, ସରକାରୀ କର୍ମଚାରୀଙ୍କ ଦରମାରେ କିଛି ଫରକ୍ ପଡ଼ିବନି, ମାତ୍ର ବେସରକାରୀ ସଂସ୍ଥାରେ ‘କାମ ନାହିଁ ତ ଦରମା ନାହିଁ’ ନୀତି ଅଧିକାଂଶ କର୍ମଚାରୀଙ୍କ ପେଟପାଟଣା ପ୍ରତି ସଂକଟ ସୃଷ୍ଟିି କରିଛି । ସରକାର ୫୦% କର୍ମଚାରୀରେ ଅଫିସ ଚଳାଇବାକୁ ଆଦେଶନାମା ଜାରି କରୁଛନ୍ତି ମାତ୍ର ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଭବିଷ୍ୟତ ପ୍ରତି ଆଖି ବନ୍ଦ କରି ଦେଉଛନ୍ତି । ଏମିତି ତ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ନିଷ୍କ୍ରିୟତା ବେସରକାରୀ ସଂସ୍ଥାର ‘ସକାଳେ ନିଯୁକ୍ତି, ସନ୍ଧ୍ୟାରେ ଛଟେଇ’ ନୀତିକୁ ସୁହାଇଛି ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ କହିଛି । 
କରୋନାର ଦ୍ୱିତୀୟ ଲହରକୁ କମାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପୁଣି ସଟ୍ ଡାଉନ୍ ଓ ଲକ୍ ଡାଉନ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାର ପ୍ରଭାବରେ ବହୁ ବେସରକାରୀ ସଂସ୍ଥା କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଛନ୍ତି । ଅଧିକାଂଶ ଛଟେଇ କର୍ମଚାରୀଙ୍କ ପରିବାର ମୁହଁରୁ ଗୋଟିଏ କଥା ଶୁୁଣିବାକୁ ମିଳୁଛି, ‘ଆମ ପେଟପାଟଣା କଥା ବୁଝିବା ପାଇଁ ସରକାରଙ୍କ ପାଖରେ ସମୟ ନାହିଁ କିନ୍ତୁ ସଟ୍ ଡାଉନ୍ ଘୋଷଣା କରି ଭୋକରେ ମାରିବାକୁ ସମୟ ଅଛି ।’ ମୋଟ ଉପରେ କହିଲେ, ଛଟେଇ କର୍ମଚାରୀମାନେ କରୋନାରେ ମରିବାକୁ ପ୍ରସ୍ତୁତ, ମାତ୍ର ଭୋକରେ ମରିବାକୁ ରାଜି ନୁହନ୍ତି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ସରକାର ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଥଚ ବେସରକାରୀ ସଂସ୍ଥାର କର୍ମଚାରୀ  ଛଟେଇ ନିଷ୍ପତି ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବା ସରକାରଙ୍କ ପକ୍ଷପାତ ନୀତିକୁ ଇଙ୍ଗିତ କରୁଛି ।

କରୋନା ସଂକଟରେ କୌଣସି ସରକାରୀ କର୍ମଚାରୀଙ୍କୁ ଛଟେଇ କରିବା ଭଳି ନିଷ୍ପତି ସରକାର ଗ୍ରହଣ କରି ନଥିଲାବେଳେ ବେସରକାରୀ ସଂସ୍ଥା କର୍ମଚାରୀଙ୍କୁ କାମରୁ ବାହାର କରି ଦେଉଛନ୍ତି । ୟା’ର କାରଣ ଦର୍ଶାଇବାକୁ ବେସରକାରୀ ସଂସ୍ଥାର ମାଲିକ ସରକାରଙ୍କ ୫୦% କର୍ମଚାରୀଙ୍କୁ ନେଇ ଅଫିସ ଚଲାଇବା ଆଦେଶକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ସରକାର ଏ ବିଷୟରେ ସବୁ ଜାଣିଶୁଣି ନିରବ ରହିଲେ, କରୋନାର ପରବର୍ତ୍ତୀ ସ୍ଥିତି ଅସମ୍ଭାଳ ହେବ ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଚେତାବନୀ କରିଛନ୍ତି ।

Related

News