ସାବଧାନ ବିଏମସି: ଠିକାସଂସ୍ଥା ମୁଣ୍ଡରେ ଅଠା ବୋଳିଦେଲେ ଚଳିବନିି

  • 06-Dec-2023
  • 0 Comments


ଭୁବନେଶ୍ୱର: ଠିକ ସମୟ ଭିତରେ କାମ ସାରି ନଥିବାରୁ ବିଏମସି ଅଭିଯୁକ୍ତ ଠିକାସଂସ୍ଥା ବିରୋଧରେ ଥାନାକୁ ଯାଇଛି । ଲୋକଙ୍କ ଦୃଷ୍ଟିରେ ଧୁଆମୁଗ ଦେଖାଇ ହେବାକୁ ଯାଇ ବିଏମସି ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି ଭୁବନେଶ୍ୱର ନାଗରିକ ଅଧିକାର ସୁରକ୍ଷା ମଂଚ ଅଭିଯୋଗ କରିଛି ।
ଭୁବନେଶ୍ୱର ସହରାଂଚଳ ବାସିନ୍ଦାଙ୍କ ପ୍ରତି ଉଭୟ ଠିକାସଂସ୍ଥା ଓ ବିଏମସି ମିଳିତ ଭାବେ ସେବା ଖିଲାପ କରିଛନ୍ତି । କେବଳ ଠିକାସଂସ୍ଥା ବିରୋଧରେ ମାମଲା ରୁଜୁ କରିଦେଲେ ଚଳିବନି । ବିଏମସି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବା ଦରକାର ।
ଖବର କାଗଜରୁ ଜାଣିବାକୁ ପାଇଲୁ, ବିଏମସି ପକ୍ଷରୁ ୨୦୧୪ ସେପ୍ଟେମ୍ବର ମାସରେ କୋଲକାତାର ବ୍ରିଜ ଆଣ୍ଡ୍ ରୁଫ କୋ (ଇଣ୍ଡିଆ) ଲିମିଟେଡ୍ ସହିତ ବିଏମସିର ରାଜିନାମା କରାଯାଇଥିଲା । ଦୁଇବର୍ଷ ଭିତରେ ଅର୍ଥାତ୍ ୨୦୧୬ ଜୁଲାଇ ୨୭ ତାରିଖ ଭିତରେ ୫ ମହଲା ବିଶିଷ୍ଟ କୋଠା ନିର୍ମାଣ ସାରିବାକୁ ଚୁକ୍ତି କରାଯାଇଥିଲା । ସରକାରଙ୍କ ପକ୍ଷରୁ ସଂପୃକ୍ତ କମ୍ପାନୀକୁ ଆବଶ୍ୟକ ଜମି ଓ ଅଗ୍ରିମ ୨୧ କୋଟି ଟଙ୍କା ଦିଆଯାଇଥିଲା । ନିର୍ଦ୍ଧାରିତ ଅବଧି ମଧ୍ୟରେ କାମ ନସାରିବା ଅଭିଯୋଗରେ ବିଏମସି ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି କାହିଁକି?
ଅଭିଯୁକ୍ତ କମ୍ପାନୀ ବିରୋଧରେ ୨୦୨୩ ଡିସେମ୍ବର ମାସରେ ମାମଲା ରୁଜୁ କରିବାର ମାନେ କ’ଣ ହୋଇପାରେ ।
ଲୋକଙ୍କୁ ଭୋଟ ମାଗିବାକୁ ଯାଇ ହଲାପଟା ହେଲେ କଂପାନୀ ବିରୋଧରେ ମାମଲା ରୁଜୁ କରିଛି କହି ଦୋଷ ଛଡ଼ାଇଦେବାକୁ । ରାଜିନାମା ଖିଲାପ କରିବାର ୭ ବର୍ଷ ପରେ ମାମଲା ରୁଜୁ କରି ବିଏମସି ଓ ବିଜେଡି ସରକାର ଆପଣାକୁ ଦୋଷମୁକ୍ତ କହି ପାରିବେନି ।
ପୁନଶ୍ଚ ବିଜ୍ଞାନ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ବିଏମସି ଏକ ରାଜିନାମା କରିଥିଲା ପଳାଶୁଣି ଅଂଚଳରେ ମେଗା ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ନିର୍ମାଣ କରିବା ପାଇଁ । ଚଳିତ ଏପ୍ରିଲ ୬ ତାରିଖରେ ରାଜିନାମା କରାଯାଇଥିଲା ଅଗଷ୍ଟ ୩ ତାରିଖ ସୁଦ୍ଧା କାମ ସାରିବାକୁ । ନିର୍ଦ୍ଧାରିତ ସମୟ ଭିତରେ କାମ ସାରି ନଥିବାରୁ ତା’ ବିରୋଧରେ ଚଟାପଟ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ମାନେ କ’ଣ?

ଜନ ଅସନ୍ତୋଷରୁ ମୁକୁଳିବା ପାଇଁ ବିଏମସି ଅଭିଯୁକ୍ତ କମ୍ପାନୀ ବିଜ୍ଞାନ କନଷ୍ଟ୍ରକସନ୍ ବିରୋଧରେ ଚଟାପଟ୍ ମାମଲା ରୁଜୁ କଲା । କିନ୍ତୁ ଅଭିଯୁକ୍ତ ବ୍ରିଜ ଆଣ୍ଡ୍ ରୁଫ୍ କୋ ବିରୋଧରେ ରାଜିନାମା ଖିଲାପ କରିବାର ୭ ବର୍ଷ ପରେ ମାମଲା ରୁଜୁ କରାଗଲା ।
ଲୋକଙ୍କୁ ଘର ଯୋଗାଇବା ଓ ଅଳିଆ ଆବର୍ଜନା ମାମଲା ସମାନ ନୁହେଁ ବୋଲି ବିଏମସି ମୁଣ୍ଡରେ ଏବେ ବୁଦ୍ଧି ପଶିଲା ।
ସତକଥା ହେଉଛି, ବିଜେଡି ସରକାରଙ୍କ ଅମଳରେ ନିର୍ବାଚିତ ଲୋକପ୍ରତିନିଧିଙ୍କୁ କେବଳ ମୁଣ୍ଡ ଗଣତି ପାଇଁ ରଖାଯାଇଛି । ପ୍ରଶାସନିକ କାମଗୁଡ଼ିକ ସରକାରୀ ଅଧିକାରୀଙ୍କ ମର୍ଜିରେ ଚାଲିଛି ।

Related

News