ସରକାରଙ୍କ ପାରିବାପଣିଆ

  • 01-Jul-2021
  • 0 Comments


୧୬ଟି ଜିଲ୍ଲାରେ ଟୀକାକରଣ ବାତିଲ

ରାଜ୍ୟ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ଟୀକା ମହଜୁଦ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ଦୃଢ଼ତା ପ୍ରକାଶ କରୁଥିଲା ବେଳେ ଓଡ଼ିଶାରେ କୋଭିସିଲ୍ଡ ଟୀକାର ଅଭାବ ସ୍ପଷ୍ଟ ହୋଇଛି । ଖାସ ସେହି କାରଣରୁ ରାଜ୍ୟର ୧୬ଟି ଜିଲ୍ଲାରେ ଟୀକାକରଣ ବାତିଲ କରାଯାଇଛି । 
ରାଜ୍ୟ ସରକାରଙ୍କ କୋ-ୱିନ୍‍’ ପୋର୍ଟାଲ ଜରିଆରେ ନିଶ୍ଚିତ ବାର୍ତ୍ତା ପାଇଥିବା ଲୋକମାନେ ବି ଟିକା ପାଉନାହାନ୍ତି । ଏହାବାଦ୍‍ କେତେକ ସ୍ଥାନରେ ଟିକାକରଣ ହେବ ଏବଂ ଟିକା ମିଳିବ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦିଆ ଯାଉଥିଲେ ମଧ୍ୟ ତାହା ମିଳୁନାହିଁ। ଏହାକୁ ନେଇ କେତେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଶତାଧିକ ଲୋକ ଏବେ ଟିକା ନପାଇ ନିରାଶ ହୋଇ ଫେରୁଛନ୍ତି। ତେବେ ଯେଉଁ ଟିକାକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତାକୁ ବ୍ୟାପକ କରାଯାଉଛି ଏବଂ ଟିକା ନେଲେ ସଂକ୍ରମଣ କମିବ ବୋଲି କୁହାଯାଉଛି ସେ କ୍ଷେତ୍ରରେ ଟିକାର ଅଭାବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ଧରା ପକାଇଛି l 
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଚଳିତମାସ ୨୧ରୁ ସମସ୍ତଙ୍କୁ ମାଗଣା ଟିକା ମିଳିବାର ଥିଲା । ସବୁ ରାଜ୍ୟକୁ ୭୫:୨୫ ଅନୁପାତରେ ଟିକା ମିଳିବ କଥା । ହେଲେ ସେହି ଅନୁପାତରେ ଟିକା ମିଳୁନାହିଁ।

ଅନ୍ୟପକ୍ଷରେ ଯେଉଁ ରାଜ୍ୟ ନଷ୍ଟ ଟିକା ଅଧିକ ବଞ୍ଚାଇବ ଏବଂ ଅଧିକ ଟିକାକରଣ କରିବ ସେହି ଆଧାରରେ ଟିକା ପ୍ରଦାନ କରାଯିବ। ହେଲେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଘୋଷଣାରେ ରହିଯାଇଛି ; ରାଜ୍ୟରେ ଦୁଇଦିନ ହେଲା ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି। ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବାତିଲ କରାଯାଇଛି ଆସନ୍ତାକାଲି ୧୬ଟି ଜିଲାରେ ଟିକାକରଣ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅନୁରୋଧ କରାଗଲାଣି, ପର୍ଯ୍ୟାପ୍ତ ଟିକା ଆସୁନାହିଁ। ତେଣୁ ଟିକାଦାନରେ ବାଧା ଉପୁଜିଛି ।   

Related

News