ବନ୍ଦ ନହେଉ ରାଜ୍ୟର ଏକମାତ୍ର ଜାତୀୟ ମ୍ୟାଲେରିଆ ଗବେଷଣା କେନ୍ଦ୍ର

  • 27-Jan-2021
  • 0 Comments


ରାଜ୍ୟରୁ ମ୍ୟାଲେରିଆ ଲୋପ ପାଇନି, ମାତ୍ର ଏକମାତ୍ର ଜାତୀୟ ମ୍ୟାଲେରିଆ ଗବେଷଣା କେନ୍ଦ୍ର ଅସ୍ତିତ୍ୱ ହରାଇବା ପ୍ରକ୍ରିୟା ଆରମ୍ଭ କରିଛି । କେନ୍ଦ୍ର ସରକାର ଏହି ଉଦ୍ୟମ କରୁଥିବା ବେଳେ ରାଜ୍ୟ ସରକାର ସେଥିରେ ଆପତ୍ତି କରୁନାହାନ୍ତି । ଭାରତୀୟ ମେଡିକାଲ ଗବେଷଣା ପରିଷଦ ପକ୍ଷରୁ ରାଉରକେଲାରେ ପ୍ରତିଷ୍ଠିତ ରାଜ୍ୟର ଏକମାତ୍ର ମ୍ୟାଲେରିଆ ଗବେଷଣା କେନ୍ଦ୍ର ଏବେ ବନ୍ଦ ହୋଇଯିବାର ଆଶଙ୍କା ରହିଛି । ଜଣେ ଭାରପ୍ରାପ୍ତ ଅଧିକାରୀ, ଡ୍ରାଇଭର,ଜଗୁଆଳି ଓ ମାତ୍ର କେତଜଣ କର୍ମଚାରୀଙ୍କ ଛାଡ଼ି ଅନ୍ୟ ୧୮ ଜଣ କର୍ମଚାରୀଙ୍କୁ ରାଂଚିରୁ ବାଙ୍ଗାଲୋର ପର୍ୟ୍ୟନ୍ତ ଥିବା କେନ୍ଦ୍ରକୁ ବଦଳି କରାଯାଇଛି। ଏହି କେନ୍ଦ୍ରକୁ ରାଂଚିରେ ଥିବା ଜାତୀୟ ମ୍ୟାଲେରିଆ ଗବେଷଣା କେନ୍ଦ୍ରରେ ମିଶ୍ରଣ ପାଇଁ ଆଇସିଏମଆର ନିର୍ଦ୍ଦେଶକଙ୍କ ପ୍ରଶାସନିକ ଅଧିକାରୀ ଯୋଗେଶ କୁମାରଙ୍କ ୨୧ ତାରିଖରେ କରାଯାଇଥିବା ପତ୍ର ସ୍ପଷ୍ଟ କରିଛି।

ଓଡିଶାରୁ ମ୍ୟାଲେରିଆ ଲୋପ ପାଇ ନଥିଲାବେଳେ ମ୍ୟାଲେରିଆ ଗବେଷଣା କେନ୍ଦ୍ରର ଅସ୍ତିତ୍ୱ ଲୋପ କରିବା ଯଥାର୍ଥ ନୁହେଁ ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଅନୁଭବ କରିଛି । ଏ ସମ୍ପର୍କରେ ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

୧୯୮୬ ମସିହାରେ ଡିସେମ୍ବର ୧ ତାରିଖରେ ଏହି କେନ୍ଦ୍ର ବ୍ରହ୍ମପୁର ଠାରେ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତୀ ଅବସ୍ଥାରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାର ମ୍ୟାଲେରିଆର ପ୍ରକୋପରୁ ମୃତ୍ୟୁହାର ଚିନ୍ତାର କାରଣ ହୋଇଥିବା ବେଳେ ୧୯୮୮ ମସିହାରେ ଇସ୍ପାତ ସହରକୁ ଏହି କେନ୍ଦ୍ର ସ୍ଥାନାନ୍ତରିତ ହୋଇଥିଲା। ପ୍ରାଥମିକ ଅବସ୍ଥାରେ ଆରଏସପିର ଏକ ଘରେ ଏହି କେନ୍ଦ୍ର ଆରମ୍ଭ ହେବା ସହିତ ମ୍ୟାଲେରିଆ ଗବେଷଣା ଓ ପରୀକ୍ଷା କାର୍ୟ୍ୟକୁ ତ୍ୱରାନ୍ୱିତ କରିଥିଲା।

ଓଡ଼ିଶାର ବିଭିନ୍ନ ଅଂଚଳ ପରିଦର୍ଶନ କରି କେନ୍ଦ୍ରର କର୍ମଚାରୀ ମ୍ୟାଲେରିଆର ସ୍ଥିତିର ଅନୁଧ୍ୟାନ ଓ ଗବେଷଣା କରିବା ସହିତ ଏହାର ନିରାକରଣ ପାଇଁ ପଦକ୍ଷେପ ନେଇଥାନ୍ତି। ମ୍ୟାଲେରିଆର ବିଭିନ୍ନ ଦିଗ ଉପରେ ଗବେଷଣା ଓ ଅନୁଧ୍ୟାନ କାର୍ୟ୍ୟ ବିଭାଗ ପକ୍ଷରୁ କରାଯାଉଛି।
 

ଉଲ୍ଲେଖନୀୟ କଥା ହେଲା ମ୍ୟାଲେରିଆ ପ୍ରବଳ ସୁନ୍ଦରଗଡ଼ ଜିଲାର ଗ୍ରାମାଂଚଳର ଲୋକେ ଏଠାରେ ଥିବା କ୍ଲିନିକରେ ମାଗଣାରେ ପରୀକ୍ଷା କରିବାର ସୁବିଧା ପାଇଥାନ୍ତି। ଏହା ସହିତ ମ୍ୟାଲେରିଆ ଚିହ୍ନଟ ହେଲେ ସେମାନଙ୍କୁ କେନ୍ଦ୍ର ପକ୍ଷରୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥାଏ। ବିଭାଗର ପରିସଂଖ୍ୟାନ ଅନୁଯାୟୀ ୨୦୧୨ରୁ ୨୦୨୦ ମଧ୍ୟରେ କ୍ଲିନିକରେ ପରୀକ୍ଷା ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ବର୍ଷକୁ ୮ରୁ ୧୦ ହଜାର ପରୀକ୍ଷା କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମ୍ୟାଲେରିଆ ପ୍ରବଣ ଅଂଚଳର ଗରିବ ଅଧିବାସୀଙ୍କ ପାଇଁ ଏହି କେନ୍ଦ୍ରର ଆବଶ୍ୟକତା ରହିଛି। ମ୍ୟାଲେରିଆର ପରୀକ୍ଷା ମାଗଣାରେ କରିବା ସହିତ ଆବଶ୍ୟକ ସୁବିଧା ମଧ୍ୟ ପାଇପାରିବେ। ଏଭଳି ସ୍ଥିତିରେ ରାଉରକେଲାରେ ଥିବା ଓଡ଼ିଶାର ଏହି ଏକମାତ୍ର ଜାତୀୟ ଗବେଷଣା କେନ୍ଦ୍ର ଉଠିଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଜନସାଧାରଣଙ୍କୁ ନିରାଶ କରିଛି। 

Related

News