ଲୋୟର ସୁକତେଲ ପ୍ରକଳ୍ପ ଅଟକି ରହିବା ପଛରେ ନବୀନ

  • 09-Feb-2021
  • 0 Comments


ଓଡ଼ିଶା ସରକାରଙ୍କୁ ପରିଚାଳନା କରୁଥିବା ରାଜନୈତିକ ଦଳର ଅପାରଗତା କାରଣରୁ ମହାନଦୀରେ ପ୍ରସ୍ତାବିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିପାରିନି । ମାତ୍ର ଉକ୍ତ ପ୍ରକଳ୍ପକୁ ନେଇ ଉଭୟ ବିଜେଡି ଓ ବିଜେପି ଦଳର ତୁଙ୍ଗନେତାଗଣ ନାନା ବାହାସ୍ଫୋଟ ମାରି ଆସୁଥିଲେ । ନିକଟରେ ପ୍ରାପ୍ତ ତଥ୍ୟ ଅନୁସାରେ ଏବେ ଲୋୟର ସୁକତେଲ ପ୍ରକଳ୍ପ ରାଜ୍ୟବାସୀଙ୍କ ପାଇଁ ମରିଚୀକା ହୋଇ ରହି ଯାଇପାରେ । ମହାନଦୀ ଅବବାହିକାର ୪ଟି ନିର୍ମାଣାଧିନ ଓ ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ତେଲ ବହୁମୁଖୀ ପ୍ରକଳ୍ପ ଡିପିଆର୍, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଡିପିଆର ୨ଥର ପୁନଃ ଅଟକଳ, ଖଡଗ ବ୍ୟାରେଜ ପ୍ରକଳ୍ପ ଓ ତେଲିଜୋର ଜଳସେଚନ ପ୍ରକଳ୍ପ ଦ୍ୱୟର ଫିଜିବିଲିଟି ରିପୋର୍ଟକୁ କେନ୍ଦ୍ରୀୟ ଜଳ ଅୟୋଗ ଓଡିଶାକୁ ଫେରେଇ ଦେଇଛନ୍ତି। ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ ସରକାରଙ୍କ ବ୍ୟାରେଜ ନିର୍ମାଣକୁ ଓଡିଶା ବେଆଇନ ବୋଲି ଦର୍ଶାଇ ବ୍ୟାରେଜ ନିର୍ମାଣକୁ ବନ୍ଦ କରିବା ପାଇଁ ଦାବି କରିଥିଲା। ହେଲେ ବଲାଙ୍ଗିର ଜିଲାରେ ନିର୍ମାଣଧୀନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମେତ ରାଜ୍ୟର ପ୍ରସ୍ତାବିତ ଅନ୍ୟ ୩ଟି ପ୍ରକଳ୍ପ ଏହି ବିବାଦରେ ଛନ୍ଦି ହୋଇଛି। ଗତ ୧୭ ସେପ୍ଟେମ୍ବର ୨୦୧୬ ଦିନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ହୋଇଥିଲା। ଯେଉଁ କାରଣ ଦର୍ଶାଇ ଛତିଶଗଡ ସରକାର ହୀରାକୁଦ ଉପରମୁଣ୍ଡରେ ନିର୍ମାଣାଧୀନ ବ୍ୟାରେଜ କାମ ବନ୍ଦ ହେବ ନାହିଁ ବୋଲି କହିଲେ ଓ ନିର୍ମାଣ କାର୍ୟ୍ୟକୁ ବନ୍ଦ କଲେ ନାହିଁ ତାର ବିପରୀତ ନୀତି ଓଡିଶା କ୍ଷେତ୍ରରେ ହୋଇଛି। ଫଳରେ ଏହି ନଦୀ ଜଳ ବିବାଦ ଓଡିଶା ପାଇଁ ବୁମେରାଂ ସଦୃଶ ହୋଇଛି। ବୈଠକରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିର୍ମାଣାଧୀନ ବ୍ୟାରେଜର କାର୍ୟ୍ୟାରମ୍ଭ ୧୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଯୁକ୍ତି ରଖିଥିଲେ। ବର୍ତ୍ତମାନ ଏହା ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା କହି ଏହାର ନିର୍ମାଣ କାର୍ୟ୍ୟକୁ ବନ୍ଦ କରାଯିବା ଉଚିତ ନୁହେଁ ବୋଲି ଶ୍ରୀ ସିଂ ମତ ଉପସ୍ଥାପନ କରିଥିଲେ। ଏହା ପରେ  ଛତିଶଗଡରେ ବ୍ୟାରେଜ ନିର୍ମାଣ ବନ୍ଦ ହେଲା ନାହିଁ। ମାତ୍ର ଲୋୟର ସୁକତେଲ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ କେନ୍ଦ୍ର ଜଳ ଆୟୋଗ ଆଦେଶ ଦେବାପରେ ରାଜ୍ୟ ସରକାର ଉକ୍ତ ପ୍ରକଳ୍ପ ଆଡ଼ୁ ମୁହଁ ଫେରାଇ ନେଇଛନ୍ତି । 

 

ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବା ୨୦ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେଲାଣି। ନିଜ ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଛତିଶଗଡ ସରକାର ଯେତେ ଆନ୍ତରିକତାର ସହ କାର୍ୟ୍ୟ କରିଛି ଓଡିଶା ତାହା କରିବାରେ ଅବହେଳା କରିଥିବା ଜଣାପଡୁଛି। ଯାହା ଫଳରେ ଓଡିଶାର ସାମୁହିକ ସ୍ୱାର୍ଥ୍ୟ ବାଧାପ୍ରାପ୍ତ ହୋଇଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଆଧାର କରି ଏହି ପ୍ରକଳ୍ପ ଗୁଡିକର ପ୍ରସ୍ତାବ ବା ପୁନଃ ଅଟକଳ ପାଇଁ ପୁଣି ଥରେ ନୂତନ ଭାବେ ଦସ୍ତାବିଜ ଦାଖଲ କରିବା ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ଓଡିଶାକୁ ଗତ ୩ ଅକ୍ଟୋବର ଦିନ ୨୦୧୯ ମସିହାରେ ଜଣାଇଥିଲେ। ଏହାର ପ୍ରାୟ ଏକ ବର୍ଷ ଚାରି ମାସ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଓଡିଶା ସରକାର କିଛି ନ ଜାଣିଲା ଭଳି ଚୁପ ହୋଇ ବସିଲେ କାହିଁକି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ଓଡିଶାର ଦାବି ଓ ସର୍ବୋଚ୍ଚ ନ୍ୟାୟାଳୟରେ ଅବେଦନ ଫଳରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ଓଡିଶା ପାଇଁ ଅସୁବିଧା ସୃଷ୍ଟି କରିଛି। ସରକାର ଏହି ନଦୀ ଜଳ ବିବାଦକୁ ଠିକ ଭାବରେ ପରିଚାଳନା ନକରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି

Related

News