ରାଜ୍ୟରେ ଦୁର୍ଘଟଣାପ୍ରବଣ ଛକ ଚିହ୍ନଟରେ ତ୍ରୁଟି

  • 20-Jan-2021
  • 0 Comments


ରାଜ୍ୟରେ ଦୁର୍ଘଟଣାପ୍ରବଣ ସ୍ଥାନକୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମେଳ ଖାଉନି ତଥ୍ୟ । ରାଜ୍ୟରେ ବ୍ଲାକ ସ୍ପଟ ଗୁଡ଼ିକୁ ସଂଶୋଧନ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ପଦକ୍ଷେପ । ଆଜି (ମଙ୍ଗଳବାର) ରାଜ୍ୟରେ ଦୁର୍ଘଟଣାପ୍ରବଣ ସ୍ଥାନ (ବ୍ଲାକ) ସ୍ପଟ୍ ସ୍ଥାନ ଚିହ୍ନଟ କରିବା ଓ ଏହାର ସଂଶୋଧନ ଲାଗି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏକ କମିଟି । ଏଥିରେ ଅତିରିକ୍ତ ମୁଖ୍ୟ ସଚିବ , ସଡ଼କ ପରିବହନ ବିଭାଗ ପ୍ରମୁଖ ସଚିବ, ପୂର୍ତ ବିଭାଗ କମିଶନର ତଥା ସଚିବ, କ୍ରାଇମବ୍ରାଞ୍ଚ ଅତିରିକ୍ତ ପୁଲିସ ମହାନିର୍ଦେଶକ, ପରିବହନ କମିଶନର, ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ମହାପ୍ରବନ୍ଧକ, ଜାତୀୟ ରାଜପଥ ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ସଦସ୍ୟ ରହିବେ ବୋଲି ସୂଚନା ମିଳିଛି ।

୨୦୧୬ ମସିହାରେ ତତ୍କାଳୀନ ମୁଖ୍ୟ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ରାଜ୍ୟରେ ୨୦୯ଟି ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରିଥିଲା । ଜାତୀୟ ରାଜପଥରେ ୧୨୦ଟି, ରାଜ୍ୟ ରାଜପଥରେ ୬୪ଟି, ମୁଖ୍ୟ ଜିଲା ସଡ଼କ (ଏମଡ଼ିଆର)ରେ ୧୫ ଓ ଅନ୍ୟ ଜିଲା ସଡ଼କ (ଓଡ଼ିଆର)ରେ ୯ଟି ଦୁର୍ଘଟଣାପ୍ରବଣ ସ୍ଥାନ ରହିଥିଲା  । ଏହା ମଧ୍ୟରେ କେବଳ ଭୁବନେଶ୍ବର-କଟକ ରାସ୍ତାରେ ୫ଟି ବ୍ଲାକ୍ ସ୍ପଟ ରହିଥିଲା । ଯାଁଳା ବାଟଭୂଆଶୁଣି ମନ୍ଦିର ନିକଟ ରାଜପଥକୁ ଦୁର୍ଘଟଣାପ୍ରବଣ ବୋଲି କୁହାଯାଇଥିଲା । ସେହିପରି ଆଇଗିଣିଆ, ରାଜଧାନୀର ସିଦ୍ଧାର୍ଥ ହୋଟେଲ ନିକଟ ରାସ୍ତା, ଆଚାର୍ୟ୍ୟ ବିହାର ଓଭର ବ୍ରିଜ୍ ଓ ପାହାଳ ନିକଟରେ ରାଜପଥ ବ୍ଲାକ୍ ସ୍ପଟ ବୋଲି କମିଶନରେଟ ପୁଲିସ ଚିହ୍ନଟ କରିଥିଲା ।
 

ମାତ୍ର ଲୋକସଭାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସାରା ଦେଶରେ ୭୮୯ଟି ବ୍ଲାକ ସ୍ପଟ ଥିବାବେଳେ ଓଡ଼ିଶାର ରାଜପଥରେ ମାତ୍ର ୧୨ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ । ଏହି ୧୨ଟି ବ୍ଲାକ୍ ସ୍ପଟ ମଧ୍ୟରୁ ୪ଟି ସ୍ଥାନରେ ସଂଶୋଧନାତ୍ମକ କାର୍ୟ୍ୟ କରାଯାଇଥିବା ଉଲ୍ଲେଖ କରି ଦୁର୍ଘଟଣା ରୋକିବା ନିମନ୍ତେ ‘୪-ଇ’ର ସହାୟତା ନିଆଯାଉଛି ବୋଲି ମଧ୍ୟ ତଥ୍ୟ ରଖିଥିଲେ । ଏଜୁକେସନ, ଇଞ୍ଜିନିଅରିଂ, ଏନଫୋର୍ସମେଣ୍ଟ ଓ ଏମରଜେନ୍ସି କେୟାର ଜରିଆରେ ବ୍ଲାକସ୍ପଟ ଅଞ୍ଚଳରେ ଦୁର୍ଘଟଣା ରୋକାଯାଇ ପାରିବ ବୋଲି କହିଥିଲେ ।

Related

News