ଶ୍ରୀଜୀଉଙ୍କ ଦର୍ଶନ ମନା, ମହାପ୍ରସାଦ ବିକା 

  • 26-Apr-2021
  • 0 Comments


ସୋମବାରଠାରୁ ପୁରୀ ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରି ପାରିବେନି ସାଧାରଣ ଜନତା । ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜା ପାଇଁ କେବଳ ସେବକ ଏବଂ କର୍ମଚାରୀଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ଅନୁମତି ଦିଆଯିବ। ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏଭଳି କଟକଣା ଲାଗୁ ହୋଇଥିଲେ ବି ଭକ୍ତମାନେ ମହାପ୍ରସାଦ ପାଇପାରିବେ। ସୁଆର ମହାସୁଆର ସେବକଙ୍କୁ ବରାଦ ଦେଇ ଯେକୌଣସି ବ୍ୟକ୍ତି ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ମଗାଇ ପାରିବେ। ମହାପ୍ରସାଦ କିଣିବା ପାଇଁ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଉତ୍ତରଦ୍ବାର ଏବଂ ଦକ୍ଷିଣଦ୍ବାର ସମ୍ମୁଖରେ ଲୋକଙ୍କଠାରୁ ମହାପ୍ରସାଦ ବରାଦ ନିଆଯାଇ ଚିରୁକୁଟି ଦିଆଯିବ।

ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଶ୍ରୀମନ୍ଦିର ଆନନ୍ଦ ବଜାରରୁ ମହାପ୍ରସାଦ ଅଣାଯାଇ ମନ୍ଦିର ବାହାରେ ଯୋଗାଇ ଦିଆଯିବ। ସୋମବାରଠାରୁ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦଯୋଗୁଁ ମହାପ୍ରସାଦ ପ୍ରସ୍ତୁତି ପରିମାଣ ହ୍ରାସ ପାଇବା ସମ୍ଭାବନା ରହିଛି। ଯେକୌଣସି ବ୍ୟକ୍ତି ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ନେବାପାଇଁ ପୂର୍ବରୁ ସୁଆର ସେବକଙ୍କୁ ବରାଦ ଦେଲେ ଏଥିରେ କୌଣସି ସମସ୍ୟା ସୃଷ୍ଟି ହେବନାହିଁ ବୋଲି ସେ କହିଛନ୍ତି। 

Related

News