ଶିଳ୍ପ ପାଇଁ ଜମି: କ୍ଷତିପୂରଣ ଦେବାକୁ କହିଲେ ହାଇକୋର୍ଟ

  • 22-Feb-2021
  • 0 Comments



ଜମି ହରାଇଥିବା ବ୍ୟକ୍ତିଙ୍କୁ ଓଡ଼ିଶା ରିହାବିଲିଟେସନ୍ ଆଣ୍ଡ ରିସେଟେଲମେଣ୍ଟ ପଲିସି, ୨୦୦୬ ପାଳନ କରି କ୍ଷତିପୂରଣ ପ୍ରଦାନ କରାଯାଇ ନଥିଲା। ଫଳରେ ଜମି ହରାଇଥିବା ବ୍ୟକ୍ତି ନିର୍ଦ୍ଧାରିତ ପରିମାଣର କ୍ଷତିପୂରଣଠାରୁ କମ୍ ଅର୍ଥ ପାଇଥିଲେ। ଏଭଳି ଅଭିଯୋଗ ମାମଲାର ଶୁଣାଣି କରି ହାଇକୋର୍ଟ ଜଗତସିଂହପୁର ଭୂମି ଅଧିଗ୍ରହଣ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବା ସହିତ ରେକର୍ଡ ଯାଞ୍ଚ କରି ଏହି ପ୍ରସଂଗରେ ଭୂମି ଅଧିଗ୍ରହଣ ଅଧିକାରୀ ୬ ମାସ ଭିତରେ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରେମାନନ୍ଦ ବାରିକ ଓ ଅନ୍ୟ ଦୁଇ ଜଣଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦେଶ ଦେଇଛନ୍ତି। 

 

ବିବରଣୀରୁ ପ୍ରକାଶ ଯେ ୨୦୦୭, ମାର୍ଚ୍ଚ ୨୮ରେ ଶିଳ୍ପ ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ସଂପର୍କିତ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ ପାଇଥିଲା। ଆବେଦନକାରୀଙ୍କ ୧୪୭୮ ଡିସିମିଲ ଜମି ଅଧିଗ୍ରହଣ କରାଯାଇ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। କିନ୍ତୁ କ୍ଷତିପୂରଣ ପ୍ରଦାନ ବେଳେ ଓଡ଼ିଶା ରିହାବିଲିଟେସନ୍ ଆଣ୍ଡ ରିସେଟେଲମେଣ୍ଟ ପଲିସି, ୨୦୦୬ର ନୀତି ପାଳନ କରାଯାଇ ନଥିବା ଆବେଦନକାରୀ ଅଭିଯୋଗ କରିଥିଲେ। ୨୦୦୬ର ନୀତି ପାଳନ କରି ଜମି ଦେଇଥିବା ଆବେଦନକାରୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନକାରୀ ଲିଖିତ ଭାବେ ଜିଲାପାଳଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Related

News