ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୂର ପାହାଡ଼: ରାପଦ

  • 16-Jan-2021
  • 0 Comments


ଓଡ଼ିଶାବାସୀ ଏତେ ନିରୀହ ଯେ ସେମାନେ ଏବେମଧ୍ୟ ପଣ୍ଡିତପୁଅକୁ ପଣ୍ଡିତ ମଣି ମୁଣ୍ଡରେ ବସାଇଛନ୍ତି । କୌଣସି ମନ୍ତ୍ର ଉଚ୍ଚାରଣ ନକରି ପାପୁଲିରେ ପାଣି ଚଳୁଏ ଧରି ଗୁଣୁଗୁଣୁ ହୋଇ କେବଳ ବଡ଼ପାଟିରେ ସ୍ୱାହା କହିଦେଲେ ନିରୀହ ଲୋକମାନେ ତାକୁ ମାନି ନିଅନ୍ତି । ତେଣୁ ସର୍ବେକ୍ଷଣ ରିପୋର୍ଟରେ ଯାହା ଲେଖି ପ୍ରକାଶ କରିଦେଲେ, ଲୋକମାନେ ତାକୁ ଏକପ୍ରକାର ଗ୍ରହଣ କରିପାରନ୍ତି ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ କହିଛି । ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୂର ପାହାଡ଼ ଭଳି । ସେ ଓଡ଼ିଶାକୁ ପ୍ରତ୍ୟକ୍ଷ ଭାବେ ଶାସନ କରନ୍ତି ନାହିଁ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଶାସନର ସୁଆଦ କେବଳ ବିଜେପିର ବିଧାୟକ ଓ ସାଂସଦମାନେ ଜାଣନ୍ତି ।
 
‘ଚୀନରେ ମାତିଥିବା କରୋନାକୁ କେନ୍ଦ୍ର ସରକାର ଘଣ୍ଟ, କରତାଳି, ଦୀପଜାଳି ସ୍ୱାଗତ କରିଥିଲେ । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ କାରଣରୁ ପ୍ରାୟ ଦେଢ଼ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ୧ କୋଟି ୨୦ ହଜାରରୁ ଅଧିକ ଲୋକ କରୋନା କବଳରେ ପଡ଼ିଥିଲା ବେଳେ ଏକ ଘରୋଇ ସର୍ଭେ ସଂସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ଆବଶ୍ୟକଠାରୁ ଅଧିକ ପସନ୍ଦ କରି ରିପୋର୍ଟଟିଏ ପ୍ରସ୍ତୁତ କରି ଏନଡିଏ ସରକାରଙ୍କଠାରୁ ବେଶ ଫାଇଦା ଉଠାଇବାର ପ୍ରୟାସ କରିଛି ।’ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ (ରାପଦ) ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସ ।

ତାଙ୍କ ମତରେ ସର୍ଭେ ରିପୋର୍ଟରେ କେନ୍ଦ୍ର ସରକାରଙ୍କ କରୋନା ଦମନ କାର୍ଯ୍ୟକୁ ଦେଶର ୪୧.୬୬ ଭାଗ ଲୋକ ତାରିଫ କରିଛନ୍ତି ଅର୍ଥାତ୍ ଦେଶର ୫୮.୩୪ ଭାଗ ଜନତା ନାପସନ୍ଦ କରିଛନ୍ତି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏତେ ପ୍ରଶଂସା କରିବା ଦରକାର ନାହିଁ । ଓଡ଼ିଶାବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୂର ପାହାଡ଼ ଭଳି । ଓଡ଼ିଶାର ବିଜେପି ସମର୍ଥକଙ୍କ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ମୋଦୀ ଦେବଦୂତ ହୋଇପାରନ୍ତି, ୪ କୋଟି ଜନତାଙ୍କ ପାଇଁ ନୁହନ୍ତି । ଓଡ଼ିଶାର ୭୫.୦୨ ଭାଗ ଲୋକ କେନ୍ଦ୍ର ସରକାରଙ୍କ ଶାସନ ନୀତିକୁ ଅଧିକ ପସନ୍ଦ କରିଛନ୍ତି ବୋଲି ଯାହା କୁହାଯାଉଛି ତାହା ସର୍ବେକ୍ଷଣ ସଂସ୍ଥାର ନିରପେକ୍ଷ ରିପୋର୍ଟ ନୁହେଁ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରୁ ଓଡ଼ିଶାବାସୀଙ୍କ ମୋଦୀ ପ୍ରୀତି ପରୀକ୍ଷଣ ହୋଇସାରିଛି । ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ୬୦ ଭାଗରୁ ଅଧିକ ଲୋକ ମୋଦୀଙ୍କ ପ୍ରତି ପ୍ରୀତ ଥାଇପାରନ୍ତି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ୪୫.୧୬ ଭାଗ ଲୋକ କେନ୍ଦ୍ର ସରକାରଙ୍କ ଶାସନ ନୀତିକୁ ତାରିଫ କରିଛନ୍ତି ।

 

ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତବାସୀଙ୍କ ଉପରେ ସଂଘ ପରିବାରର ନିଷ୍ପତ୍ତିକୁ ଲଦି ଦେଉଛନ୍ତି । ସଂକ୍ଷେପରେ କହିଲେ, କଂଗ୍ରେସର ଦୁର୍ନୀତିମୂଳକ ଶାସନର ନବୀକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭିତ୍ତିଭୂମି ବିକାଶ ନାମରେ ରାଜକୋଷରୁ କୋଟିକୋଟି ଟଙ୍କା ଲୁଟି ନିଆଯାଉଛି । ପ୍ରକଳ୍ପ ଆଳରେ ଲୋକଙ୍କ ପକେଟରୁ ଦୈନିକ କୋଟିକୋଟି ଟଙ୍କା ଆଦାୟ କରିବାର ବାଟ ବାହାର କରାଯାଉଛି । ଦେଶର ୧୩୫ କୋଟି ଜନତାଙ୍କ ପକେଟକୁ ରିଜର୍ଭ ବ୍ୟାଙ୍କ ନିକଟରେ ବନ୍ଧା ପକାଇ ଦିଆଯାଇଛି । ପରିସ୍ଥିତି ଏପରି କରି ଦିଆଯାଇଛି ଯେ ବ୍ୟାଙ୍କରେ ଜମାଖାତା ଖୋଲିଲେ ସଂକଟ, ନଖୋଲିଲେ ସଂକଟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପ ବଡ଼ବଡ଼ ଶିଳ୍ପପତିଙ୍କୁ ବେଶ ସୁହାଇଛି ।  ମୋଦୀଙ୍କ ଶାସନରେ ୧୩୫ କୋଟି ଜନତା ବିଜେପି ମେଣ୍ଟ ହାତରେ ସଖି କଣ୍ଢେଇ ଭଳି ନାଚୁଛନ୍ତି ।

Related

News