ସୁସ୍ଥ ହେଲେ ମହାପ୍ରଭୁ

  • 06-Jul-2021
  • 0 Comments


ସୁସ୍ଥ ହେବାପରେ ପ୍ରଭୁଙ୍କୁ ଫୁଲ ଓ ତୁଳସୀ ଲାଗି କରାଯାଇଛି। ଅଣସର ଘର ଚକା ଉପରେ ବିଜେ କରିଛନ୍ତି ଶ୍ରୀଜୀଉ। ସୋମବାର ଏକାଦଶୀ ତିଥିରେ ପଟ୍ଟିଦିଅଁଙ୍କ ଦ୍ବିତୀୟ ଭୋଗମଣ୍ଡପ ଏବଂ ଦକ୍ଷିଣଘର ଭୋଗ ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇଥିଲା। ବେହେରଣ ଦ୍ବାର ଫିଟିବା ପରେ ଦଇତାପତି ଅଣସର ଘରେ ପ୍ରବେଶ କରିଥିଲେ। ପ୍ରଭୁଙ୍କୁ ଖଳିଲାଗି କରାଯିବା ସହ ରକ୍ତବସ୍ତ୍ର ଲାଗି ହୋଇଥିଲା। ପତିମହାପାତ୍ର ପଣାଭୋଗ କରିଥିଲେ। ଏହାପରେ ବେହେରଣ ଦ୍ବାର ବନ୍ଦ କରାଯାଇଥିଲା। ପଟ୍ଟିଦିଅଁଙ୍କ ସନ୍ଧ୍ୟାଆଳତି, ବେଶ, ସନ୍ଧ୍ୟାଧୂପ ପରେ ପୁଣିଥରେ ଖୋଲା ଯାଇଥିଲା ବେହେରଣ ଦ୍ବାର। ଦଇତାପତି  ଭିତରକୁ ଯାଇ ଶ୍ରୀଜୀଉଙ୍କ ଅନବସର ନୀତି କରିଥିଲେ। ପଣାଭୋଗ ସହ ଦଶମୂଳ ମହୌଷଧି ଅର୍ପଣ କରାଯାଇଥିଲା। ଦାରୁବ୍ରହ୍ମଙ୍କ ପାଇଁ ରାଜବୈଦ୍ୟଙ୍କ ଘରେ ଶାଳପର୍ଣ୍ଣି, ଗମ୍ଭାରୀ, ନବାଙ୍ଗକୋଳି, ମଣପଣା, କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାତି, ଗୋଖରା ଛେଲି ଓ ଚେରମୂଳିରେ ପ୍ରସ୍ତୁତ ମହୌଷଧି ପ୍ରଦାନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ।
ନିର୍ମାଣାଧୀନ ତିନିରଥରେ ସୋମବାର କଳସ ଲଗାଯାଇଛି। ଓଲଟ ଶୁଆ ସଂଯୋଗ ହୋଇଛି। ପାର୍ଶ୍ବ ଦେବଦେବୀଙ୍କୁ ରଥ ଚତୁଃପାର୍ଶ୍ବରେ ଲଗାଯାଇଛି ।
 

ସିଂହାସନ ଉପରେ ପଟା ବାଡ଼ିଆ ଶେଷ ହୋଇଛି। ରଥ ଚକ ସମେତ ବିଭିନ୍ନ ଅଂଶକୁ ଚିତ୍ରକର ସେବକ ରଙ୍ଗ କରୁଛନ୍ତି। ମଙ୍ଗଳବାର ଠେକରାବାଡ ଲଗାଯିବ। ପ୍ରଭାଗୁଡିକରେ ଖୋଦେଇ ଏବଂ ଚିତ୍ର କରାଯାଉଛି। ରଥ ଅଶ୍ବ ଏବଂ ସାରଥିଙ୍କୁ ରଙ୍ଗ କରାଯାଉଛି। ରଥ ନିର୍ମାଣ ଶେଷ ହେବାକୁ ଯାଉଛି । ପଟାଗୁଜ ତଥା ଅସୁଆରୀରେ ନରବିରାଳ ଚିତ୍ରକୁ ନେଇ ମହାରଣା, ରୂପକାର ଏବଂ ଚିତ୍ରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ଦୁଇଗୋଷ୍ଠୀ ସେବାୟତଙ୍କ ସହ ଆଲୋଚନା କରିଛନ୍ତି।

Related

News