ମହିଳାଙ୍କ ବିଧବା ଭତ୍ତା ଉଦ୍ୟମ ବିଫଳ କଲା ଦଇବ

  • 22-Dec-2020
  • 0 Comments


ଜଣେ ମହିଳା ପ୍ରଶାସନ ନିକଟରେ ବିଧବା ଭତ୍ତା ପାଇଁ ଆବେଦନ କରି ନିରାଶ ହୋଇଥିଲା ବେଳେ ତାଙ୍କ ସ୍ୱାମୀ ଘରକୁ ଫେରିଛନ୍ତି । ବିଧବା ଭତ୍ତା ପାଇଁ ସ୍ୱାମୀଙ୍କ ମୃତୁ୍ୟ ପ୍ରମାଣପତ୍ର ଲୋଡ଼ା ଥିବାରୁ ସଂପୃକ୍ତ ମହିଳା ବିଧବା ଭତ୍ତା ପାଇବାକୁ ସକ୍ଷମ ହୋଇପାରିନଥିଲେ । ମହିଳାଙ୍କ ସ୍ୱାମୀ ସାଙ୍ଗମାନଙ୍କ ସହିତ ତାମିଲନାଡୁର ଗୋଟିଏ କମ୍ପାନୀରେ କାମ କରୁଥିଲେ । ଛୁଟିନେଇ ସାଥିମାନଙ୍କ ସହିତ ଘରକୁ ଫେରୁଥିଲା ବେଳେ ଟ୍ରେନରୁ ପରିସ୍ରା କରିବାକୁ ଯାଇ କୌଣସି କାରଣରୁ ଖସିପଡ଼ିଥିଲେ । ସହକର୍ମୀମାନେ ଗ୍ରାମକୁ ଫେରି ସବୁ ବିଷୟ ଜଣାଇଥିଲେ । ଲକଡାଉନ କାରଣରୁ ସଂପୃକ୍ତ ମହିଳାଙ୍କ ନିକଟରେ ଅନ୍ୟ ଉପାୟ କିଛି ନଥିଲା । ସ୍ୱାମୀଙ୍କ ମୃତୁ୍ୟ ହୋଇଯାଇଥିବା ଦର୍ଶାଇ ସେ ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ । ମାତ୍ର ଦୈବାତ ମହିଳାଙ୍କ ସ୍ୱାମୀ ଘରକୁ ଫେରିବା ଫଳରେ ଘଟଣାଟି ଉକ୍ତ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି । ମହିଳାଙ୍କ ସ୍ୱାମୀ କହୁଛନ୍ତି ଯେ ଭାଷାଗତ ସମସ୍ୟାରେ ପଡ଼ି ତାଙ୍କୁ ବହୁ ହିନସ୍ତା ଭୋଗିବାକୁ ପଡ଼ିଛି ।

ସ୍ବାମୀ ଜଣକ ଟ୍ରେନରୁ ଖସି ପଡ଼ି ଗୁରୁତର ହୋଇଥିବା ଯୋଗୁଁ ରେଲୱେ ପୁଲିସ ଦ୍ବାରା ଉଦ୍ଧାର ହୋଇ ତାମିଲନାଡୁର ପଲ୍ ୱାଲ୍ ମେଡିକାଲରେ ଭର୍ତ୍ତି ହୋଇଥିଲେ, ତା’ ପରେ ସେଠାରୁ ଭଲ ହୋଇ କୌଣସି ଏକ ଆଶ୍ରମରେ ଦିନ ବିତାଉଥିଲେ। କିଛିଦିନ ପରେ ପାଖରେ ପଇସା ନ ଥିବାରୁ ସେ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ବଳରେ ଘରକୁ ଫେରି ଆସିଥିଲେ । ଏ ପାଖେ ସ୍ତ୍ରୀ ଭତ୍ତା ପାଇଁ ଗୁହାରୀ କରୁଥିବାବେଳେ ନିଖୋଜ ସ୍ବାମୀ ଘରକୁ ହଠାତ୍ ଫେରିବା ରାୟଗଡ଼ା ବ୍ଲକ ତାଡ଼ମା ପଞ୍ଚାୟତ ନାଥିମା ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ଦାସ କହିଲେ ଯେ ସରକାରୀ ଭତ୍ତା ପାଇଁ ମୃତ୍ୟୁ ପ୍ରମାଣପତ୍ର ନିହାତି ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

Related

News