ଠିକଣା ହଜାଇଛନ୍ତି ଜିତଡିମିରିଆ ବାସିନ୍ଦା

  • 03-Dec-2020
  • 0 Comments


ଓଡ଼ିଶା ମାନଚିତ୍ରରୁ ହଜିଗଲା ରାଜସ୍ୱ ଗ୍ରାମ

ଦୀର୍ଘ ୪୦ ବର୍ଷ ଧରି ଗ୍ରାମବାସୀ ସେମାନଙ୍କ ଗ୍ରାମର ନାମ ଫେରି ପାଇନାହାନ୍ତି । ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା କାରଣରୁ ଓଡ଼ିଶା ମାନଚିତ୍ରରୁ ଚାଲିଯାଇଛି ଗୋଟିଏ ରାଜସ୍ୱ ଗ୍ରାମ । ତଥାପି ଗ୍ରାମବାସୀ ସଂଘର୍ଷରୁ ଓହରି ନାହାନ୍ତି । ଏମିତି ଘଟଣାଟିଏ ଦେଖିବାକୁ ମିଳିଛି ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଖମାର ପଞ୍ଚାୟତରେ । ପ୍ରାୟ ଚାଳିଶି ବର୍ଷ ପୂର୍ବେ ଖମାର ପଞ୍ଚାୟତରେ ଜିତଡିମିରିଆ ନାମରେ ରାଜସ୍ୱ ଗ୍ରାମଟିଏ ଥିଲା । ଲୋକମାନେ ଚାଷବାସ କରି ଜୀବିକା ନିର୍ବାହ କରୁଥିଲେ । ୧୯୮୧-୮୨ରେ ସମଲଠାରେ ବୃହତ ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ପଥରବନ୍ଧ ପାଇଁ ବହୁ ପଥର ଦରକାର ପଡ଼ିଲା । ତେଣୁ ସୁବିଧା ଦୃଷ୍ଟିରୁ ଜିତଡିମିରିଆ ଗାଁ ନିକଟରେ ଥିବା ପାହାଡ଼ରୁ ପଥର କଟାଗଲା । ପାହାଡ଼ରେ ବ୍ଲାଷ୍ଟିଂ କାରଣରୁ ଗ୍ରାମବାସୀଙ୍କ ଘର କ୍ଷତିଗ୍ରସ୍ତ ହେଲା । ଏପରିକି ବ୍ଲାଷ୍ଟିଂ ପଥର ଗାଁ ଭିତରେ ଆସି ପଡ଼ିଥିବାର ଶୁଣିବାକୁ ମିଳିଥିଲା । ଲୋକମାନେ ଭୟଭୀତ ପରିବେଶରେ ରହିବାକୁ ବାଧ୍ୟ ହୋଇଥିଲେ । ଲୋକଙ୍କ ଦୂରବସ୍ଥା ଦେଖି ପ୍ରଶାସନ ପକ୍ଷରୁ ସେମାନଙ୍କୁ ନାମକୁ ମାତ୍ର କ୍ଷତିପୂରଣ ଦିଆଯାଇ ଅନ୍ୟତ୍ର ଚାଲିଯିବାକୁ ପରାମର୍ଶ ଦିଆଗଲା । ଲୋକମାନେ ଅନ୍ୟ ଉପାୟ ନପାଇ ଜିତଡିମିରିଆ ଗ୍ରାମଠାରୁ ୩/୪ କିଲୋମିଟର ଦୂରସ୍ଥିତ ଜଙ୍ଗଲେରେ ବାସ କଲେ । ଫଳରେ ଜିତଡିମିରିଆ ଗ୍ରାମଟି ପଥର ଖାଦାନରେ ପରିଣତ ହୋଇ ରାଜସ୍ୱ ରେକର୍ଡରୁ ନାମ ହରାଇଲା । ମାତ୍ର ଉକ୍ତ ଗ୍ରାମର ଲୋକମାନେ ଆଜିସୁଦ୍ଧା ଜଙ୍ଗଲ ଭିତରେ ବାସ କରୁଛନ୍ତି । ଏବେ ସେଠାରେ ୪୦ରୁ ଅଧିକ ପରିବାର ବାସ କରୁଛନ୍ତି । ୨୦୦ରୁ ଅଧିକ ଲୋକଙ୍କୁ ନେଇ ଗଠିତ ଉକ୍ତ ଅଞ୍ଚଳକୁ ଲୋକମାନେ ନୂଆ ଜିତଡିମିରିଆ ନାମ ଦେଇଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ନଥିପତ୍ରରେ ଉକ୍ତ ଅଞ୍ଚଳକୁ କୌଣସି ନାମ ଦିଆଯାଇନି । ଦୀର୍ଘ ୪୦ ବର୍ଷ ଧରି ସେଠାକାର ଲୋକମାନଙ୍କୁ ଘରବାଡ଼ି ବା ଜମିପଟ୍ଟା ମିଳିନାହିଁ । ଲୋକମାନେ ଜଙ୍ଗଲ କିସମ ଜମିରେ ବାସ କରୁଥିବାରୁ ଆବାସିକ ବାସିନ୍ଦା ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହା ଫଳରେ ଗ୍ରାମବାସୀମାନେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ସମ୍ପୃକ୍ତ ଲୋକମାନେ ରାଜସ୍ୱ ଗ୍ରାମର ମାନ୍ୟତା ଦାବି କରି ଜମିପଟ୍ଟା ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି । ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଉକ୍ତ ଆନେ୍ଦାଳନ ସମ୍ପର୍କରେ ଅବଗତ ଅଛନ୍ତି । କିନ୍ତୁ କେହି ସେମାନଙ୍କ ହାରି ଗୁହାରି ଶୁଣୁନାହାନ୍ତି । 

କିଛି ବର୍ଷ ପୂର୍ବେ ପଞ୍ଚାୟତ ତରଫରୁ ଗାଁକୁ ମାଟି ରାସ୍ତା, ପାନୀୟଜଳ ପାଇଁ ନଳକୂଅ ଓ ମନ୍ଦିରଟିଏ ନିର୍ମାଣ କରାଯାଇଥିଲା । ଏ ସମ୍ପର୍କରେ ପାଲଲହଡ଼ା ତହସିଲଦାର କହନ୍ତି, ଯେତେବେଳେ ଲୋକମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ କୁହାଯାଇଥିଲା । ସେତେବେଳେ ଲୋକଙ୍କୁ କି ପ୍ରତିଶ୍ରୁତି ଦିଆଯାଇଥିଲା, ତା’ର କୌଣସି ରେକର୍ଡ ନାହିଁ । ଲୋକଙ୍କୁ କେତେ ପରିମାଣର କ୍ଷତିପୂରଣ ଦିଆଯାଇଛି ଏବଂ କୋଉଠି ଥଇଥାନ କରିବାକୁ କୁହାଯାଇଥିଲା, ତା’ର କୌଣସି ରେକର୍ଡ ନାହିଁ । ପୁୁରୁଖା ଗ୍ରାମବାସୀଙ୍କ ପଚାରିଲେ, କିଛି ଉତ୍ତର ମିଳୁନି । ତା’ ଛଡ଼ା ତହସିଲ ରେକର୍ଡରେ ଜିତଡିମିରିଆ ଗ୍ରାମର କୌଣସି ଚିହ୍ନବର୍ଣ୍ଣ ନଥିବାରୁ ଲୋକମାନଙ୍କୁ ଜମିପଟ୍ଟା ଦେବା ସମ୍ଭବ ହେଉନି । ବାପଜେଜେଙ୍କ ତ୍ରୁଟିକୁ ସୁଧାରିବା ପାଇଁ ଆଜିର ପିଢ଼ୀ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଗ୍ରାମବାସୀମାନେ ଅଭିଯୋଗ କରି କହୁଛନ୍ତି, ଦେଶର ସ୍ୱାର୍ଥ ପାଇଁ ଭିଟାମାଟି ଛାଡ଼ି ଆମେ ପରିଚୟ ହରାଇଲୁ । ଠିକଣା ହଜାଇଥିବା ଲୋକମାନେ ପୁଣି ରାଜସ୍ୱ ଗ୍ରାମଟିଏ ପାଇବେ କି ନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

Related

News