ଭିଡ଼କୁ ନୁହେଁ ନିଗମ ଇଂଜିନିୟରିଂ କଲେଜ: ରାପଦ

  • 02-Mar-2021
  • 0 Comments


ଓଡିଶାରେ ପ୍ରତିଷ୍ଠିତ ଘରୋଇ ଇଂଜିନିୟରି କଲେଜଗୁଡ଼ିକ ଶିକ୍ଷା ଆଳରେ ଛାତ୍ରଛାତ୍ରୀଙ୍କୁ ଲୁଟି ଚାଲିଛନ୍ତି । ଦକ୍ଷ ଅଧ୍ୟାପନା ଓ ବୈଷୟିକ ଜ୍ଞାନକୌଶଳ ତାଲିମ ଅଭାବରୁ ଘରୋଇ ଇଂଜିନିୟରିଂ କଲେଜ ପ୍ରତି ଛାତ୍ରଛାତ୍ରୀମାନେ ମୁହଁ ବୁଲାଇ ନେଉଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ନକାରାତ୍ମକ ଆଭିମୁଖ୍ୟ କାରଣରୁ ଓଡିଶାର ଇଂଜିନିୟରିଂ କଲେଜ ସ୍ଥିତି ଦିନକୁ ଦିନ ଦୟନୀୟ ହେବାକୁ ଲାଗିଛି । କଲେଜଟିଏ ପ୍ରତିଷ୍ଠା କରି ଛାତ୍ରଛାତ୍ରୀଙ୍କ ନାମରେ ଶିକ୍ଷାଋଣ ଉଠାଇ ଲୋକଦେଖାଣିଆ ଶିକ୍ଷାଦାନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ (ରାପଦ) ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ।
ରାପଦ ସଭାପତି କହିଛନ୍ତି, କଲେଜ ପ୍ରୋଫାଇଲ ଦେଖିଲେ ଯେ କୌଣସି ଅଭିଭାବକ ବା ଛାତ୍ରଛାତ୍ରୀମାନେ ଇଂଜିନିୟରିଂ କଲେଜ ମୋହରେ ପଡ଼ିଯିବେ । ମାତ୍ର କଲେଜରେ ନାମ ଲେଖାଇବା ପରେ ସେମାନଙ୍କର ମୋହଭଙ୍ଗ ଘଟିବ । ସେତେବେଳକୁ ଯେତେଚେଷ୍ଟା କଲେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହାତରେ କିଛି ନଥିବ । କଲେଜରେ ଦକ୍ଷ ଅଧ୍ୟାପନା ମଣ୍ଡଳୀ ଓ ଆଧୁନିକ ଲାବ ଥିବା ସମ୍ପର୍କରେ କର୍ତ୍ତୃପକ୍ଷ ଦୃଢ଼ତାର ସହ କହୁଥିଲେ ମଧ୍ୟ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଅଲଗା । 
ସୁଜୁକି ମୋଟର୍ସରେ କାର୍ଯ୍ୟରତ ଜଣେ ଅଟୋମାବାଇଲ ଇଂଜିନିୟର ନିଗମ ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ସାମନ୍ତରାୟଙ୍କଠାରୁ କୌଣସି ପ୍ରକାର ସହଯୋଗ ନପାଇ ଦୁଃଖ ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଇଂଜିନିୟର କହିଛନ୍ତି, ଓଡ଼ିଶାର କୌଣସି ଘରୋଇ କଲେଜର ପରିଚାଳନା ମଣ୍ଡଳୀ ପିଲାଙ୍କ ପ୍ରତି ସଚେତନ ନୁହନ୍ତି ।  ରାଜ୍ୟର ବିକାଶ ତୁଳନାରେ ସେମାନେ କଲେଜକୁ ଚହଟ ଚିକ୍କଣ କରିବାକୁ ଆଗ୍ରହୀ କାରଣ ଭେକ ଦେଖି ଭିକ ମିଳିବ । ଚାକଚକ୍ୟ ଭିତରେ ଥିବା କଲେଜ ପିଲାଙ୍କଠାରୁ ଭଲ ରକମର ଫି’ ଆଦାୟ କରିପାରିବ । ପିଲାଙ୍କ ଭବିଷ୍ୟତ ପ୍ରତି ନା କଲେଜ କର୍ତ୍ତୃପକ୍ଷ ନା ସରକାରଙ୍କ ନିଷ୍ଠା କି ସହାନୁଭୂତି ଅଛି । ଓଡ଼ିଶାରେ ପ୍ରତିଷ୍ଠିତ ସବୁ ଇଂଜିନିୟରିଂ କଲେଜଗୁଡ଼ିକର ଗୋଟିଏ ନୀତି ‘ପିଲାଙ୍କୁୁ ବୋକା ବନାଇ ଲୁଟିବା’ । ଅଧ୍ୟାପକମାନେ ପିଲାଙ୍କୁ କେବଳ ପୋଥିଗତ ବିଦ୍ୟା ଛଡ଼ା ବୈଷୟିକ ତାଲିମ ଦେଉନାହାନ୍ତି । ଗତାନୁଗତିକ ଶିକ୍ଷା ପଦ୍ଧତିକୁ ଆଦରି ନେଉଥିବାରୁ ଓଡିଶାର ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରରେ ଫେଲ ମାରୁଛନ୍ତି । ଓଡ଼ିଶାର ପିଲାମାନେ କ୍ୟାମ୍ପସରେ ମନୋନୀତ ହେଲେ ମଧ୍ୟ ନିଯୁକ୍ତି ପାଇବାର ୩/୪ ମାସ ପରେ ଚାକିରି ହରାଇ ଘରକୁ ଫେରି ଆସୁଛନ୍ତି । ଅଭିଭାବକମାନେ କଲେଜକୁ ଦୋଷ ନଦେଇ ବିଚରା ପିଲାଟିକୁ ଦାୟୀ କରୁଛନ୍ତି । ବାସ୍ତବ କଥା ହେଉଛିି, ଭଲ ଶିକ୍ଷା ପାଇଥିଲେ ସିନା ପିଲାମାନେ ଅନ୍ୟ ରାଜ୍ୟରେ ବାଜି ମାରିବେ । କେତେକ ଘରୋଇ କଲେଜ କ୍ୟାମ୍ପସ ମନୋନୟନ ଆଳରେ ପିଲାଙ୍କୁ ଭୁଅାଁ ବୁଲାଉଛନ୍ତି । ଏମିତି ତାଲିକାରେ ‘ଶିକ୍ଷା ଓ ଅନୁସନ୍ଧାନ’ର ଆଇଟିଇଆର ଆଗରେ ଅଛି । ସରକାରୀ କଳକୁ ହାତରେ ରଖି ଆଇଟିଇଆର ପିଲାଙ୍କ ଜୀବନ ସହ ଖେଳୁଛି ବୋଲି ରାପଦ ରାଜ୍ୟ ସଭାପତି କହିଛନ୍ତି । 

ନିଗମ ଇଂଜିନିୟରି କଲେଜରେ ସିଭିଲ, ଇଲେକ୍ଟ୍ରିକାଲ, ମେକାନିକାଲ, ଇଲେକ୍ଟ୍ରୋନିକ୍ସ, ଟେଲିକମୁନିକେସନ୍, କମ୍ପୁ୍ୟଟର ସାଇନ୍ସ, ଅଟୋମୋବାଇଲ୍, ମେଟାଲର୍ଜିକାଲ ପ୍ରଭୃତି ବିଷୟରେ ଶିକ୍ଷାଦାନ କରାଯିବାର ବ୍ୟବସ୍ଥା ଅଛି । କିନ୍ତୁ କଲେଜରେ ନିଯୁକ୍ତ ଜଣେ ବି ଅଧ୍ୟାପକ ବୈଷୟିକ ତାଲିମ ଦିଗରେ ଦକ୍ଷତାର ଅଧିକାରୀ ନୁହନ୍ତି । ଅଟୋମୋବାଇଲ୍ ଇଂଜିନିୟରିଂ ଉପରେ କୌଣସି ସୂଚନା ଲୋଡ଼ିଲେ, କଲେଜ ଅଧ୍ୟକ୍ଷଙ୍କ ନିରବ ରହୁଛନ୍ତି । ଏ ଦିଗରେ ୫ଟି ମୁଖ୍ୟ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କଡ଼ା ମତପୋଷଣ କରିଛନ୍ତି । ନିଗମ ଇଂଜିନିୟରିଂ କଲେଜରେ ପିଲାମାନେ ପାଠ ପଢ଼ିବା ଅପେକ୍ଷା କୌଣସି ଆଇଟିଆଇ ଶିକ୍ଷାନୁଷ୍ଠାନରେ ତାଲିମ ପାଇବା ସର୍ବୋତ୍ତମ ବୋଲି ରାଜ୍ୟ ସରକାରଙ୍କ ୫ଟି ସଚିବଙ୍କ ମୁଖ୍ୟ ପାଣ୍ଡିଆନ୍ କହିଛନ୍ତି । ଖୁବଶୀଘ୍ର ଓଡ଼ିିଶାରେ ପ୍ରତିଷ୍ଠିତ ଘରୋଇ କଲେଜରେ ପିଲାଙ୍କୁ ଦିଆଯାଉଥିବା ଶିକ୍ଷାର ଯାଂଚ ରିପୋର୍ଟ ପ୍ରସ୍ତୁତ କରାଯିବ । ପିଲାଙ୍କ ବାସ୍ତବ ଜ୍ଞାନକୌଶଳକୁ ପରଖିବା ପରେ କଲେଜଗୁଡ଼ିକୁ କଳା ତାଲିକାଭୁକ୍ତ କରାଯିବ ବୋଲି ପାଣ୍ଡିଆନ୍ କହିଛନ୍ତି ।

Related

News