ସକାଳ ୭ଟାରୁ ୧୨ ଯାଏ ସ୍କୁଲରେ ପାଠପଢ଼ା

  • 03-Mar-2021
  • 0 Comments


ଆଜିଠାରୁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଦେଶନାମା ଜାରି କରିଛି । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଏନେଇ ବିଭାଗ ଖୁବ୍‌ଶୀଘ୍ର ପରୀକ୍ଷା ପରିଚାଳନା ନିୟମାବଳୀ ଘୋଷଣା କରିବ। ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦%ରୁ କମ୍‌ ଥିବାରୁ ବିଭାଗ ପକ୍ଷରୁ ଏଭଳି ଯୋଜନା କରାଯାଇଛି। ନିକଟରେ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ମାର୍ଚ୍ଚ ପାଇଁ ନିୟମାବଳୀ ପ୍ରକାଶ ପାଇଥିଲା। ଏଥିରେ ନବମ ଓ ଏକାଦଶ ବିଦ୍ୟାର୍ଥୀଙ୍କ ପରୀକ୍ଷା ଆବଶ୍ୟକ ସ୍ଥଳେ ଅନ୍‌ଲାଇନ୍‌ରେ କରିବାକୁ ବିଭାଗକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟରେ ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍‌ ସୁବିଧା ନଥିବାବେଳେ ଅନ୍‌ଲାଇନ୍‌ରେ ଠିକ୍‌ ଭାବେ ପାଠପଢା ହୋଇପାରୁନି। ଏଭଳି ସ୍ଥିିତିରେ ଅନ୍‌ଲାଇନ୍‌ରେ ପରୀକ୍ଷା କରାଗଲେ ବହୁ ବିଦ୍ୟାର୍ଥୀ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ବିଭାଗ ପକ୍ଷରୁ ଏନେଇ ସମୀକ୍ଷା କରାଯିବା ପାରେ ଅଫଲାଇନ୍‌ରେ ପରୀକ୍ଷା କରିବାକୁ ଯୋଜନା କରାଯାଇଛି। ପୂର୍ବରୁ ଦଶମ ଓ ଦ୍ବାଦଶ ପରୀକ୍ଷା ଅଫ୍‌ଲାଇନ୍‌ରେ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।

ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଛି। ଗ୍ରୀଷ୍ମପ୍ରଭାବ ଯୋଗୁଁ ସରକାର ସକାଳୁଆ ସ୍କୁଲ ପାଇଁ ପୂର୍ବରୁ ପାଠପଢା ସମୟ ସକାଳ ୭ଟାରୁ ଅପରାହ୍ନ ୧ଟା ରଖିଥିଲେ। ଏଣିକି ଏହି ୪ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସରିବ। 

Related

News