ନବୀନ ପଟ୍ଟନାୟକଙ୍କ ମୁହଁରେ କଳା

  • 25-May-2022
  • 0 Comments


ସର୍ବନିମ୍ନ ପେନସନ୍ ପାଇବେ ଗ୍ରାମସେବକ

ନୂଆଦିଲ୍ଲୀ, (ଭାରତଡେଲି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ କଳା ଲଗାଇଛନ୍ତି ସୁପ୍ରିମକୋର୍ଟ । ପଂଚାୟତ ସେବକରୁ ଗ୍ରାମସେବକକୁ ପଦୋନ୍ନତି ପାଇଥିବା ୭୦୦ କର୍ମଚାରୀ ସର୍ବନିମ୍ନ ପେନସନ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଚନ୍ତି । ରାଜ୍ୟ ସରକାରଙ୍କ ଲିଭ୍ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି ।
ଘଟଣାରୁ ଜଣାପଡ଼ିଛି, ୨୦୦୮ ମସିହାରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଗ୍ରାମସେବକ କ୍ୟାଡର ରୁଲ୍ ସଂଶୋଧନ କରି ୨୦୦୯ ମସିହାରେ ଏକକାଳୀନ ୨୮ଶହ ଗ୍ରାମ ପଞ୍ଚାୟତ ସଂପାଦକଙ୍କୁ ଗ୍ରାମସେବକ ପଦବିକୁ ପଦୋନ୍ନତି ଦେଇ ପଞ୍ଚାୟତ ସଂପାଦକ ପଦବିକୁ ଉଚ୍ଛେଦ କରିଥିଲେ। ପଦୋନ୍ନତି ପରେ ଅବସର ନେଇଥିବା ୭ଶହ ସଂପାଦକ ଓ ଗ୍ରାମସେବକ ଉଭୟ ପଦବିରେ ୩୦ବର୍ଷରୁ ଅଧିକ ସମୟ ଧରି କାର୍ୟ୍ୟରେ ବାହାଲ ଥାଇ ଅବସର ନେଇଥିବାରୁ ସର୍ବନିମ୍ନ ପେନସନ ଦାବି ନେଇ ପଞ୍ଚାୟତିରାଜ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମାତ୍ର ରାଜ୍ୟ ସରକାର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାର ବିରୋଧରେ ସଂଘର ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ପାଳଙ୍କ ନେତୃତ୍ବରେ ସ୍ୟାଟ୍ କଟକ ବେଞ୍ଚରେ ମାମଲା ଦାୟର କରିଥିଲେ। ୨୦୧୬ ମସିହାରେ ସ୍ୟାଟ୍ ଏହାର ବିଚାର କରି ପଞ୍ଚାୟତ ସଂପାଦକ ଓ ଗ୍ରାମସେବକଙ୍କୁ ମିଶାଇ ୧୦ବର୍ଷ ସେବାକାଳ ନିରୂପଣ କରି ସର୍ବନିମ୍ନ ପେନସନ ପାଇଁ ରାୟ ଦେଇଥିଲେ।
ରାଜ୍ୟ ସରକାର ୨୦୧୮ ମସିହାରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ। ମାତ୍ର ହାଇକୋର୍ଟ ସ୍ୟାଟ୍ଙ୍କ ରାୟକୁ କାଏମ ରଖିବା ସହିତ ରାଜ୍ୟ ସରକାରଙ୍କ ପିଟିସନ୍କୁ ଖାରଜ କରିଦେଇଥିଲେ। ରାଜ୍ୟ ସରକାର ଏହି ରାୟ ବିରୋଧରେ ୨୦୧୯ ମସିହାରେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିସନ ଦାଖଲ କରିଥିଲେ।

ମାତ୍ର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଓଡ଼ିଶା ସରକାରଙ୍କ ସ୍ପେଶାଲ ଲିଭ୍ ପିଟିସନକୁ ଖାରଜ କରିବା ସହିତ ସ୍ୟାଟ୍ ଓ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି। ପଦୋନ୍ନତି ପାଇଥିବା ୨୮ଶହ ଜଣଙ୍କୁ ମଧ୍ୟରୁ ୭ଶହ ଅବସର ନେଇ ସାରିଲେଣି। ଦୀର୍ଘଦିନ ଧରି ମାମଲା ଜାରି ଚାଲିଥିବାରୁ ଶହେ ଜଣ ଗ୍ରାମସେବକ ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଜଟିଳ ରୋଗରେ ଆକ୍ରାନ୍ତ। 

Related

News