ଫଳକରେ ସୀମିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ

  • 14-Feb-2021
  • 0 Comments


ଚାଷଜମିକୁ ସବୁଦିନ ପାଇଁ ପାଣି ଯୋଗାଇବା ଲକ୍ଷ୍ୟରେ ସରକାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଓ ଅର୍ଥ ମଂଜୁର ହୋଇସାରିଛି । ମାତ୍ର ତା’ର ନିର୍ମାଣ କାର୍ଯ୍ୟ ଏଯାବତ ଆରମ୍ଭ ହୋଇନାହିଁ । ଫଳକରେ ଉଠା ଜଳସେଚନ ରହିଯାଇଛି ବୋଲି ସାଧାରଣରେ ଆଲୋଚନା ଚାଲିଛି । ବିଶେଷ କରି ବରଗଡ଼ ଜିଲ୍ଲାର ଚାଷୀମାନେ ଏହି ଜଳସେଚନ ପ୍ରକଳ୍ପକୁ ଚାତକ ପରି ଅପେକ୍ଷା କରିଛନ୍ତି । 

ସୂଚନାରୁ ଜଣାଯାଇଛି, ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନକୁ ରାଜ୍ୟ କ୍ୟାବିନେଟ ଦୁଇଥର ମଂଜୁରି ପ୍ରଦାନ କରିଛି । ତିନୋଟି ପର୍ଯ୍ୟାୟରେ ୧୫୦୦ କୋଟି ଟଙ୍କା ଯୋଗାଇ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ।  ୨୦୧୭ ଡିସେମ୍ବର ୮ତାରିଖରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ବିଜେପୁରଠାରେ ମନ୍ତ୍ରୀ ସୁଶାନ୍ତ ସିଂ ଏହାର ଶିଳାନ୍ୟାସ କରିଥିଲେ। କ୍ୟାବିନେଟ ଅନୁମୋଦନ ମିଳିଥିଲା ଗତ ଅଗଷ୍ଟ ୧୨ ତାରିଖରେ। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୧୩୮.୬୩ କୋଟି ଟଙ୍କା ମଂଜୁର କରିଥିଲେ। ବିଜେପୁର ପ୍ରଥମ ଉପନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପ କାର୍ୟ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଅଂଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।ଅଥଚ ତିନୋଟି ନିର୍ବାଚନ ସରିଥିଲେ ମଧ୍ୟ ପ୍ରକଳ୍ପ କାମ ଆରମ୍ଭ ହେଲାନି ।   

ଗଙ୍ଗାଧର ପ୍ରକଳ୍ପର ପୂର୍ବ ନମୁନାକୁ ପରିବର୍ତ୍ତନ କରାଯାଇ ଏବେ ନୂତନ ନକ୍ସା ପ୍ରସ୍ତୁତ କରାଯାଇଛି। ପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ଜିରୋ ପଏଣ୍ଟରୁ ୩୪ .୧ କିମି ଯାଏ ମୁଖ୍ୟ କେନାଲରେ ପାଣି ଆସିବା ସହିତ ସେଠାରୁ ଏକ ଇନଟେକ୍‌ ୱେଲରୁ ଜଳ ଉତ୍ତୋଳନ କରାଯାଇ ଜଳସେଚନ କରିବାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ସ୍ଥାନୀୟ ଚାଷୀ ଏହି ପ୍ରସ୍ତାବକୁ ବିରୋଧ କରିବା ସହିତ କେନାଲ ତଳ ଅଂଚଳର ଚାଷୀ ପାଣି ସମସ୍ୟା ଭୋଗିବାର ଆଶଙ୍କା ପ୍ରକଟ କରିବାରୁ ସରକାର ଏହାର ନକ୍ସାରେ ପରିବର୍ତ୍ତନ କରି ହୀରାକୁଦ ଜଳଭଣ୍ଡାରରୁ ପାଇପଯୋଗେ ୩୪ .୧କିମି ପର୍ୟ୍ୟନ୍ତ ପାଣି ଆଣି ସେଠାରୁ ଇନଟେକ୍‌ ୱେଲରୁ ଜଳ ଉତ୍ତୋଳନ କରିବାର ବ୍ୟବସ୍ଥା କରିଛନ୍ତି।

ଗଙ୍ଗାଧର ମେହେର ଜଳ ପ୍ରକଳ୍ପ ପାଇଁ ଗତ ୯ ତାରିଖରେ ରାଜ୍ୟ କ୍ୟାବିନେଟରେ ୪୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ହୀରାକୁଦର ଜିରୋ ପଏଣ୍ଟରୁ ୩୪ କିମି ସୟାଁ ଯାଏ ପାଇପ ଯୋଗେ ପାଣି ଆଣିବା ପାଇଁ ଏହି ବ୍ୟୟବରାଦ କରାଯାଇଛି। ମାତ୍ର ଗ୍ରାଉଣ୍ଡ ଜିରୋର ବାସ୍ତବତା ହେଲା ଏ ପର୍ୟ୍ୟନ୍ତ ଆରମ୍ଭ ହୋଇ ନାହିଁ। ବିଜେପୁର ଠାରେ ଥିବା ପ୍ରକଳ୍ପ କାର୍ୟ୍ୟାଳୟରେ କର୍ମଚାରୀ ନାହାନ୍ତି କି ଏହା ନିୟମିତ ଖୋଲୁ ନାହିଁ। ଫଳରେ ସରକାରଙ୍କ ଆଭିମୁଖ୍ୟ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଲାଣି।

ଏହି ପ୍ରକଳ୍ପ ପାଇଁ ୨୦୧୮ ଅକ୍ଟୋବର ୨୫ ତାରିଖରେ ଟିଏସି ରିପୋର୍ଟ ଦିଆଯିବା ପରେ ୨୦୧୯ ଜାନୁଆରୀ ୨୯ତାରିଖରେ ପ୍ରଶାସନିକ ଅନୁମୋଦନ ମିଳିଥିଲା। ସେହିପରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା ୨୦୧୯ ମାର୍ଚ୍ଚ ପହିଲାରେ। ହୀରାକୁଦ କମାଣ୍ଡ ଏରିଆରେ ଥିବା କେନାଲ ଉପରେ ହାଇଡ୍ରୋ ପାୱାର ଜେନେରେସନ ପ୍ରୋଜେକ୍ଟ ନିର୍ମାଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଯୋଜନା ରହିଛି। ଏହାଦ୍ୱାରା ୯ ମେଗାୱାଟ ବିଜୁଳି ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। 

Related

News