ଭାବମୂର୍ତ୍ତି ବଜାୟ ରଖିବାକୁ ବେନାମୀ ଚିଠି ଭେଳିକି: ରାପଦ

  • 08-Jan-2021
  • 0 Comments


ପରୀ ମାମଲାରେ ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରି ଅଦାଲତରୁ ଝଟକା ଖାଇବା ପରେ ନିର୍ମଳ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେନାମୀ ଚିଠିର ଭେଳିକି ରଚିଛନ୍ତି ବୋଲି ରାପଦ ଅଭିଯୋଗ କରିଛି । ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ (ରାପଦ) ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସ କହିଛନ୍ତି, ରାଜ୍ୟବାସୀ ଏତେ ବୋକା ନୁହନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ତାଙ୍କରି ନିକଟତମ ଲୋକ ହିଁ ବେନାମୀ ଚିଠି ଲେଖି ଲୋକଙ୍କ ଅନୁକମ୍ପା ହାସଲ ପାଇଁ ଉଦ୍ୟମ କରାଯାଇଛିି । ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ନୁହେଁ, ପରୀ ହତ୍ୟା ମାମଲାରେ ଖୋଦ ନବୀନ ପଟ୍ଟନାୟକଙ୍କ ସଂପୃକ୍ତି ରହିଛି । ସିବିଆଇ ତଦନ୍ତ କଲେ, ଘଟଣାର ସତ୍ୟତା ଲୋକଙ୍କ ଦୃଷ୍ଟିକୁ ଆସିପାରିବ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ଜଣାଇ ଦିଆଯାଇଛି । ତା’ ସହିତ ଏଭଳି କାର୍ଯ୍ୟରେ ନିୟୋଜିତ ଲୋକମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ଉଲ୍ଲେଖ ରହିଛି । ତେବେ ଏଭଳି ‘ଆ ବଳଦ, ମୋତେ ମାର’ ନୀତି କିଏ କାହିଁକି ଆପଣାଇବାକୁ ଚାହିଁବ ବୋଲି ରାପଦ ରାଜ୍ୟ ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ରାଜ୍ୟର ମୁଖିଆ ହୋଇ ରହିନାହାନ୍ତି । ତାଙ୍କର ପ୍ରତିଟି କାର୍ଯ୍ୟ ବିଜେଡିର ମୁଖିଆଙ୍କ ଭଳି ଲାଗୁଛି ।  ଦଳର ଭୁଲକୁ ଘୋଡ଼ାଇବା ପାଇଁ ନବୀନ ପଟ୍ଟନାୟକ ପ୍ରାଣପଣେ ଉଦ୍ୟମ କରୁଛନ୍ତି । 
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ  କିଛି ସୁପାରି କିଲର ଯେକୌଣସି ସମୟରେ ଆପଣଙ୍କ ଉପରେ ଆକ୍ରମଣ କରିପାରନ୍ତି। ସେମାନେ ବିଭିନ୍ନ ରାଜ୍ୟର କାର ସବୁ ବ୍ୟବହାର କରୁଛନ୍ତି। ଏପରିକି ଉକ୍ତ ଅପରାଧୀ ଗୋଷ୍ଠୀର ମାଷ୍ଟର ମାଇଣ୍ଡ ନାଗପୁରରେ ରହୁଛି ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହା ସହ ଛତିଶଗଡ଼, ପଞ୍ଜାବ, ଓଡ଼ିଶା, ଦିଲ୍ଲୀ, ସିକିମ୍, ହରିଆଣା ପରି କିଛି ରାଜ୍ୟର ଗାଡ଼ି ନମ୍ବର ମଧ୍ୟ ଏଥିରେ ପ୍ରଦାନ କରାଯାଇଛି।

 

ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ବା ବାସଭବନ ନବୀନ ନିବାସ ପକ୍ଷରୁ ଏ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ । ସାମାଜିକ ଗଣମାଧ୍ୟମରେ ଏପରି ଚିଠି ଘୂରିବୁଲୁଛି । ଏହି ଚିଠି ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।

Related

News