ଆଗେଇଛି ବରମୁଣ୍ଡା ବସଷ୍ଟାଣ୍ଡ ନବକଳେବର

  • 29-Jan-2021
  • 0 Comments


ଭାରତର ପ୍ରମୁଖ ବସଷ୍ଟାଣ୍ଡ ତାଲିକାରେ ସ୍ଥାନ ପାଇବାକୁ ବରମୁଣ୍ଡା ବସଷ୍ଟାଣ୍ଡ ନିଜକୁ ପ୍ରସ୍ତୁତ କରୁଛିି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଣ୍ଡବ ବରମୁଣ୍ଡା ବସଷ୍ଟାଣ୍ଡକୁ ଆଧୁନିକ ରୂପ ଦେବାକୁ ଆଗେଇ ଆସିଛନ୍ତି । ଡିସେମ୍ବର ୧୦ରେ ମୁଖ୍ୟମନ୍ତ୍ରୀ ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରି ୧୮ ମାସରେ(ଜୁନ୍‌, ୨୦୨୨ ସୁଦ୍ଧା) ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରିଥିଲେ। ୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବସ୍‌ ଟର୍ମିନାଲ ସରିବା ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକର୍ପଣ ହେବ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ମାସେ ପୂରି ୧୮ଦିନ ବିତିଗଲାଣି। ଟର୍ମିନାଲ ନିମନ୍ତେ ମୂଳଦୁଆ ଖୋଳା ସରିଛି। କିଛିଦିନ ପୂର୍ବରୁ ମୂଳଦୁଆରେ ଢଳେଇ ଆରମ୍ଭ ହୋଇଛି। ଏହାପରେ ଟର୍ମିନାଲର ମୁଖ୍ୟ କୋଠା ନିର୍ମାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ହେଲେ ବସ୍‌ ରହିବାକୁ ସ୍ଥାନ ନ ଥିବାରୁ ଷ୍ଟାଣ୍ଡର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ବସ୍‌ କର୍ମଚାରୀଙ୍କଠାରୁ ଯାତ୍ରୀଙ୍କ ପର୍ୟ୍ୟନ୍ତ ସମସ୍ତେ କଲବଲ ହେଉଛନ୍ତି।

 

ଷ୍ଟାଣ୍ଡ ଭିତରେ ବସ୍‌ ରଖିବାକୁ ସ୍ଥାନ ନାହିଁ। ଚାଳକ ଏବଂ ଯାତ୍ରୀଙ୍କ ଶୌଚ ନିମନ୍ତେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହେଉଛି। ଷ୍ଟାଣ୍ଡର ନବକଳେବର ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି କାମ ହୋଇ ନ ଥିବାରୁ ଏଠାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ସ୍ଥାନୀୟ ବସିନ୍ଦା ବାପି ବେହେରା କହିଛନ୍ତି, ବସ୍‌ଗୁଡ଼ିକ ଦୀର୍ଘ ସମୟ ଧରି ଓଭରବ୍ରିଜ୍‌ ରାସ୍ତାରେ ଅଟକି ରହୁଛି। ଫଳରେ ଯା’ଆସ କରିବା ସମ୍ଭବ ହେଉନି।

Related

News