ମହିଳାଙ୍କ ସୁରକ୍ଷା ପାଇଁ ‘୧୮୧’ ଏବେବି ଅଲୋଡ଼ା ପ୍ରାୟ

  • 06-Jan-2021
  • 0 Comments


ଘରୋଇ ହିଂସା ଦାଉରୁ ମହିଳାଙ୍କୁ ସୁରକ୍ଷା ଦେବାପାଇଁ ଆଜକୁ ୪ ବର୍ଷ ତଳେ ସରକାର ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର ‘୧୮୧’ ବ୍ୟବସ୍ଥା ଆରମ୍ଭ କରିଥିଲେ । ମାତ୍ର ଏବେବି ତାହା ମହିଳାଙ୍କୁ ସୁରକ୍ଷା ଦେବାକୁ ସକ୍ଷମ ହୋଇପାରିନି । ଏପରି ବିଫଳତା ପଛରେ ସରକାର ଅବା ସରକାରୀ ଅଧିକାରୀଙ୍କ ଉଦାସୀନତା ଦାୟୀ, ସେ ସମ୍ପର୍କରେ ବୁଝାପଡୁନି । ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଶେଖରପୁରଠାରେ ୨୦୧୭ ମାର୍ଚ୍ଚ ୮ ତାରିଖରେ ଏହି ନିଃଶୁକ୍ଳ ସେବା ନମ୍ବରକୁ ରାଜ୍ୟବାସୀଙ୍କ ନିମନ୍ତେ ଲୋକାର୍ପିତ କରିଥିଲେ। ଲକ୍ଷ୍ୟ ଥିଲା ମହିଳାଙ୍କ ସୁରକ୍ଷା। ପାରିବାରିକ ହିଂସାଠାରୁ ଆରମ୍ଭ କରି କୌଣସି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳାମାନେ ଏହି ନିଃଶୁଳ୍କ ହେଲ୍ପଲାଇନ ନମ୍ବର ଜରିଆରେ ନିଜ ଅଭିଯୋଗ ଦରଜ କରିବାର ବ୍ୟବସ୍ଥା ରହିଥିଲା। ରାଜ୍ୟର ଯେ କୌଣସି ପ୍ରାନ୍ତରୁ ମହିଳାମାନେ ଏଥିରେ ଅଭିଯୋଗ କରିପାରିବେ ବୋଲି କୁହାଯାଇଥିଲା। ଆଶା କରାଯାଉଥିଲା ଏହି କାର୍ୟ୍ୟକ୍ରମ ରାଜ୍ୟରେ ମହିଳା ହିଂସା ରୋକିବାରେ ସହାୟକ ହେବ ଓ ତ୍ବରିତ ପଦକ୍ଷେପ ଦ୍ବାରା ଲିଙ୍ଗଗତ ଅପରାଧ ହ୍ରାସ ପାଇବ; ମାତ୍ର ଉପଯୁକ୍ତ ସଚେତନତାର ଅଭାବ ଯୋଗୁଁ ରାଜ୍ୟ ସରକାରଙ୍କ ଏହି ମହତ୍ବାକାଂକ୍ଷୀ କାର୍ୟ୍ୟକ୍ରମ ସମ୍ପର୍କରେ ଦୂରଦୂରାନ୍ତର ମହିଳା କ’ଣ ଖୋଦ୍‌ ରାଜଧାନୀର ଅଧିକାଂଶ ମହିଳା ଅଜ୍ଞ।

ରାଜ୍ୟରେ ପ୍ରତିବର୍ଷ ଘରୋଇ ହିଂସା, ମହିଳାଙ୍କ ପ୍ରତି ଅତ୍ୟାଚାର ଓ ନିର୍ୟାତନା ବଢ଼ୁଛି। କିଛି ଘଟଣା ଆଲୋକକୁ ଆସୁଛି, ଥାନାରେ ମାମଲା ରୁଜୁ ହେଉଛି; ମାତ୍ର ଅଧିକାଂଶ ଘଟଣାରେ ମହିଳାମାନେ ଅଭିଯୋଗ କରିବାକୁ ସୁଯୋଗ ପାଉନାହାନ୍ତି କିମ୍ବା ଭୟ ଯୋଗୁଁ ଚୁପ୍ ରହୁଛନ୍ତି। ଅଭିଯୋଗ କରିବାକୁ ସେମାନଙ୍କ ପାଖରେ ସାଧନ ନାହିଁ। ଏହି କ୍ଷେତ୍ରରେ ନିଶୁଳ୍କ ହେଲପଲାଇନ ନମ୍ବର ”୧୮୧” ଉପଯୋଗୀ ସାବ୍ୟସ୍ତ ହୋଇଥାନ୍ତା। ବ୍ୟବସ୍ଥା ଅନୁସାରେ ଏହି ନମ୍ବରରେ ଅଭିଯୋଗ ମାତ୍ରେ ନିୟନ୍ତ୍ରଣକକ୍ଷରୁ ସମ୍ପୃକ୍ତ ଅଞ୍ଚଳର ପୁଲିସକୁ ସୂଚନା ଦିଆଯାଇଥାଏ ଓ ତୁରନ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଏ।

 

ଗତ ୩ ବର୍ଷର ପରିସଂଖ୍ୟାନ ଅନୁସାରେ ଖୋର୍ଧା ଜିଲାରୁ ଏହି ନମ୍ବରକୁ ସର୍ବାଧିକ କଲ୍‌ ଯାଇଥିଲା ବେଳେ ବୌଦ୍ଧ ଜିଲାରୁ ଆସିଛି ସବୁଠୁ କମ୍ ଅଭିଯୋଗ। ‘୧୮୧’ କାର୍ୟ୍ୟାଳୟରୁ ହସ୍ତଗତ ସୂଚନା ଅନୁସାରେ ୨୦୨୦ ମେ’ ମାସ ଯାଏଁ ମହିଳା ହେଲ୍ପଲାଇନ ନିକଟକୁ ଆସିଛି ମୋଟ ୨୦୪୯ଟି ଅଭିଯୋଗ। ସେଥିମଧ୍ୟରୁ ୨୪୫ଟି କେବଳ ଘରୋଇ ହିଂସା ସମ୍ବନ୍ଧୀୟ ଥିବାବେଳେ ୨୨୨ଟି ଅନ୍ୟାନ୍ୟ ଅଭିଯୋଗ ଆସିଛି। ଅଧିକାଂଶ ଘରୋଇ ହିଂସାର କାରଣ ଯୌତୁକ ଦାବି, ଯୌନାକାଂକ୍ଷା ପୂର୍ତ୍ତିରେ ବିଫଳତା, ଆର୍ଥିକ ସ୍ଥିତି ତଥା ପୁରୁଷଙ୍କ ହତାଶ ମନୋଭାବର ପରିପ୍ରକାଶ ବୋଲି ଅଭିଯୋଗରେ ଦର୍ଶାଯାଉଛି।

Related

News