ତିନିମାସ ଭିତରେ ବିଜେଡିର ବିଭାଜନ!

  • 17-Jan-2021
  • 0 Comments


ଆଗାମୀ ତିନିମାସ ଭିତରେ କ୍ଷମତାସୀନ ବିଜେଡିର ବିଭାଜନ ଘଟିବାକୁ ଯାଉଛି ବୋଲି ଦଳର ଗୋଟିଏ ଗୋଷ୍ଠୀ କହିଛି । ଏହି ଗୋଷ୍ଠୀ ଜଣେ ବରିଷ୍ଠ ବିଜେପି ନେତାଙ୍କ ଜରିଆରେ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଯୋଜନା ଚଳାଇଛନ୍ତି । 

ଉପରକୁ ବେଶ ଶୃଙ୍ଖଳିତ ଓ ସୁଦୃଢ଼ ଦିଶୁଥିବା ବିଜେଡିରେ ଅସନ୍ତୁଷ୍ଟ ନେତାମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି । ଦଳର ପୁରୁଣା ନେତାମାନେ ଆଗାମୀ ନିର୍ବାଚନରେ ଟିକେଟ୍ ପାଇବାର ସମ୍ଭାବନା କ୍ଷୀଣ ବୋଲି ବିଜେଡି ମୁଖିଆଙ୍କ ନିକଟତମ ସୂତ୍ରରୁ ପ୍ରକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ବୋଲାଉଥିବା ନେତାମାନଙ୍କ ଗୋଡ଼ରେ ବେଶି କାଦୁଅ ଲାଗିଥିବାର ଦେଖିବାକୁ ମିଳିଲାଣି । ତେଣୁ ଚତୁର ନବୀନବାବୁ ତାଙ୍କ ଧଳାପୋଷାକ ପ୍ରତି ବେଶ ସତର୍କ ଥିବାରୁ ପ୍ରଥମେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଳି ପକାଇଲେ । ଆଗକୁ ଆହୁରି ବହୁତ ନେତା ବଳି ପଡ଼ିବାର ଅଛି । ଦଳର ନବୀକରଣ କରା ନଗଲେ, ଆଗାମୀ ନିର୍ବାଚନରେ ବିଜେପିକୁ ସାମ୍ନା କରିବା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକମାନେ କହନ୍ତି । 

ଏବେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ନେତାଙ୍କ ତାଲିକା ପ୍ରସ୍ତୁତ ଚାଲିଛି । ଏହି କାମରେ ବଛାବଛା ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ପୁରୁଣା ଚେହେରା ପ୍ରତି ଲୋକଙ୍କ ମନରେ ଆସ୍ଥା କମିଯାଉଥିବାରୁ ବିଜେଡି ସୁପ୍ରିମୋ ନୂଆ ମୁହଁ ଉପରେ ଭରସା କରୁଛନ୍ତି ।  ଶୁଣିବାକୁ ମିଳେ, ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନରେ ଯେଉଁମାନେ ଟିକେଟ୍ ପାଇ ଜିତି ପାରିନାହାନ୍ତି, ସେମାନଙ୍କୁ ଆଉ ଟିକେଟ୍ ମିଳିବାର ସମ୍ଭାବନା ନାହିଁ । ଅତଏବ ସେଇମାନଙ୍କ ସ୍ଥାନରେ ନୂଆ ମୁହଁକୁ ଟିକେଟ୍ ମିଳିବା ସୁନିଶ୍ଚିତ । 

 

ମାତ୍ର ୧୦/୧୨ ଜଣ ପୁରୁଣା ଓ ଅଭିଜ୍ଞ ନେତା ଟିକେଟ୍ ପାଇବେ । ବିଜେଡିର ଗୋଟିଏ ବି ପୁରୁଣା ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ ଜିତିବାର ଆଶା ନାହିଁ ବୋଲି ନବୀନବାବୁ ଭଲଭାବେ ଜାଣନ୍ତି । ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସମୀର ଦାସ, ପ୍ରତାପ ଦେବଙ୍କ ଭଳି ନେତାମାନେ  ମଧ୍ୟ ଦଳୀୟ ଟିକେଟ୍ ବିନା ଜିତିବା କଷ୍ଟକର ମନେହୁଏ । ଶଙ୍ଖ ବିନା ବିଜେଡି ନେତାମାନଙ୍କର ଅନ୍ୟ ଗତି ନାହିଁ । ଦଳୀୟ ଟିକେଟ୍ ନପାଇଲେ, ପୁରୁଣା ନେତାମାନେ ମଲା କଙ୍କଡ଼ା ସଙ୍ଗେ ସମାନ ବୋଲି ବିଜେଡିର ଗୋଟିଏ ଗୋଷ୍ଠୀ କହିଛି ।      

Related

News