ରାଜ୍ୟରେ ନକଲି ଔଷଧ ବିକ୍ରି ପଛରେ ବିଭାଗର ନିଷ୍କ୍ରିୟତା 

  • 24-Dec-2022
  • 0 Comments


ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଦାସୀନତାର ସୁଯୋଗ ନେଇ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ନକଲି ଔଷଧ କାରବାର ଚାଲିଛି I ନକଲି ଔଷଧ ଠାବ କରିବା ଦାୟିତ୍ୱ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କର I ବିଭାଗର ଅଧିକାରୀମାନେ ଯେ କୌଣସି ସମୟରେ ଯେ କୌଣସି ଔଷଧ ଷ୍ଟକିଷ୍ଟ ବା ଖୁଚୁରା ଦୋକାନ ଉପରେ ଚଢ଼ାଉ କରି ଔଷଧ ଯାଞ୍ଚ କରିପାରିବେ I କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ସରକାରୀ ଦାୟିତ୍ୱକୁ ଠିକ ଭାବେ ପାଳନ ନ କରିବାରୁ ତାହାର ସୁଯୋଗ ନେଇ ଅଧିକାଂଶ ଅସାଧୁ ବ୍ୟବସାୟୀ ନକଲି ଔଷଧ ବିକୁଛନ୍ତି I 
ଏବେ ସ୍ୱାସ୍ଥ୍ୟ ଅଧିକାରୀମାନେ ଅଚାନକ କିଛି ଔଷଧ ଦୋକାନ ଉପରେ ଚଢ଼ାଉ କରି ନକଲି ଔଷଧ ଜବତ କରିଛନ୍ତି I ହାତଗଣତି ଔଷଧ ଦୋକାନୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରି ସରକାରୀ ଅଧିକାରୀମାନେ ନିରବ ରହିଗଲେ ଚଳିବ ନାହିଁ I ଚଢ଼ାଉ ଅଭିଯାନ ଜାରି ରଖିବାକୁ ଏନୟୁବିସି ଦାବି କରିଛି I 
ସୂଚନା ମୁତାବକ କଟକ ଓ ବରଗଡର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି। 
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଥିଲେ ଯେ ପ୍ରାୟ ୧୧ ପ୍ରକାର ସନ୍ଦେହାତ୍ମକ ଔଷଧ କଟକ ପୁରୀଘାଟସ୍ଥିତ ଏମ୍.ଏଚ୍. ଫାର୍ମାସୁଟିକାଲ୍ ଷ୍ଟୋରରୁ ଜବତ କରାଯାଇଛି। ଜବତ ଔଷଧର ମୂଲ୍ୟପ୍ରାୟ ୨୩.୨୩ ଲକ୍ଷ ଟଙ୍କା ହେବ । ଏହିସବୁ ଔଷଧ ପଡୋଶୀ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଥିବାର ଜଣାପଡିଥିଲା।

ଏହାଛଡା ବରଗଡର ଅଶୋକ ମେଡିକାଲ ଷ୍ଟୋରରୁ ଜବତ ଔଷଧକୁ ସନ୍ଦେହାତ୍ମକ ଭିତ୍ତିରେ ପୂର୍ବରୁ ଅଲଗା କରି ତାହାର ବିକ୍ରୀ ବନ୍ଦ କରାଯାଇଥିଲା। ଶାଳିନୀଙ୍କ ସୂଚନା ଅନୁସାରେ ନକଲି ଔଷଧର ଆମଦାନି ଓ ଯୋଗାଣକୁ ବନ୍ଦ କରାଯାଇ ପାରିବ, ଏବଂ ଧରାପଡିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ଵରାନ୍ବିତ ହେବ । ଏଥିପାଇଁ ଔଷଧ ପ୍ରବର୍ତ୍ତନ ଟିମମାନେ ବଜାରରେ ଉପଲବ୍ଧ ଔଷଧ ଗୁଡିକର ଯାଞ୍ଚ ବ୍ୟାପକ କରିବାସହ କୈାଣସି ପ୍ରକାର ସନ୍ଦେହାତ୍ମକ କାର୍ୟ୍ୟ ଦୂଷ୍ଟିକୁ ଆସିବାମାତ୍ରେ ବିକ୍ରିବନ୍ଦ ନିର୍ଦେଶ ଜାରି କରିବେ I  

Related

News