ଆଜିଠାରୁ ଶିକ୍ଷାନୁଷ୍ଠାନରେ ନବମ ଓ ଏକାଦଶ ପିଲା

  • 08-Feb-2021
  • 0 Comments


ଆଜିଠାରୁ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ । ଛାତ୍ରଛାତ୍ରୀଙ୍କୁ ଦୁଇଘଣ୍ଟା ପଢ଼ାଯିବାର ନିୟମ ଜାରି କରାଯାଇଛି । ଏହା ପୂର୍ବରୁ ଦଶମ ଓ  ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲା । କୋଭିଡ୍ ପ୍ରକୋପ କ୍ରମେ କମିବା ସହିତ ପ୍ରତିଷେଧକ ଟୀକା ବାହାରିବା ପରେ ସରକାର କୋଭିଡ୍ କଟକଣାକୁ ପର୍ଯ୍ୟାୟ କ୍ରମେ କୋହଳ କରୁଛନ୍ତି ।  ପ୍ରାୟ ୧୧ ମାସ ପରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯିବେ। କୋଭିଡ୍ କଟକଣା ଭିତରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ସୋମବାରଠାରୁ ସ୍କୁଲ ଖୋଲିବ ଓ ଏପ୍ରିଲ ଶେଷ ପର୍ଯ୍ୟନ୍ତ ପିଲାଙ୍କୁ ଶିକ୍ଷାଦାନ କରାଯିବ ।  ସୋମବାରରୁ ଶନିବାର ପର୍ୟ୍ୟନ୍ତ ପ୍ରତିଦିନ ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ୟ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ। ଦୈନିକ ତିନୋଟି ପିରିଅଡ୍ ପଢ଼ାଯିବ । ମାତ୍ର ରବିବାର ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ପଢ଼ାଯିବ ନାହିଁ ।  ନବମ ଓ ଏକାଦଶ ଶ୍ରେଣୀରେ କୌଣସି ପ୍ରକାର ମଧ୍ୟାହ୍ନଭୋଜନ ବିରତି ଦିଆଯିବନି। ସ୍କୁଲ ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ରିପୋର୍ଟିଂ କରିବେ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଶୋଧିତ ସିଲାବସ୍‌ ଅନୁଯାୟୀ ପଢାଯିବ। ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ୟୁନିଟ୍‌ ଟେଷ୍ଟ ହେବ। ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ କ୍ଲାସ ପରୀକ୍ଷା ଅନୁଷ୍ଠିତ ହେବ।

 

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଠପଢା ମଧ୍ୟ ଆସନ୍ତାକାଲି(ସୋମବାର)ଠାରୁ ଆରମ୍ଭ ହେବ। ବିଭାଗ ଅଧୀନରେ ଥିବା ହଷ୍ଟେଲଗୁଡିକ ମଧ୍ୟ ଆସନ୍ତାକାଲିଠାରୁ ଖୋଲିବ। ପ୍ରତ୍ୟେକ ଛାତ୍ରଛାତ୍ରୀ, ହଷ୍ଟେଲ ପରିଚାଳକ ଓ କର୍ମଚାରୀ କୋଭିଡ୍‌-୧୯ ନିୟମକୁ ପାଳନ କରିବେ। ସବୁ ବିଦ୍ୟାଳୟକୁ ବିଶୋଧନ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ନିୟମିତ ରୂପେ ବିଦ୍ୟାଳୟ ଏବଂ ହଷ୍ଟେଲ ଗୁଡିକର ପରିଚାଳନା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଞ୍ଚ କରିବା ବ୍ୟବସ୍ଥାକୁ କଡାକଡି ଅନୁପାଳନ ପାଇଁ ସଂପୃକ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Related

News