ଗୌରୀକୁଣ୍ଡର ପବିତ୍ରତା ଫେରିବ !

  • 06-Nov-2020
  • 0 Comments


 ପଡ଼ି ରହିଛି ୧.୧୦ କୋଟି ଟଙ୍କା

ଭୁବନେଶ୍ୱର: କେଦାରଗୌରୀ ମନ୍ଦିର ପରିସରସ୍ଥ ପ୍ରାଚୀନ ଚାରିଟି କୁଣ୍ଡର ହୃତ ପବିତ୍ରତା ଫେରାଇ ଆଣିବାକୁ ପର୍ୟ୍ୟଟନ ବିଭାଗ ୧ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କଲା। ଅନୁଦାନକୁ ନେଇ କୁଣ୍ଡର ପୁନରୁଦ୍ଧାର କାର୍ୟ୍ୟ ଆରମ୍ଭ ହେଲା। ମାତ୍ର ଅଧାରୁ କାମ ବନ୍ଦ ହୋଇଗଲା। ଫଳରେ ପର୍ୟ୍ୟଟନ ବିଭାଗର ଅନୁଦାନ ଅର୍ଥ ପଡ଼ି ରହିଥିବାବେଳେ ଉକ୍ତ ଚାରି କୁଣ୍ଡର ପବିତ୍ରତା ଫେରିବା ବିଳମ୍ବିତ ହେଉଛି। ତେଣୁ ଦେବାଦେବୀଙ୍କ ସ୍ନାନାଦି କାର୍ୟ୍ୟରେ ବ୍ୟବହୃତ ହେଉଥିବା ଏହି କୁଣ୍ଡର ଜଳ ଏବେ ଅନୁପଯୁକ୍ତ ହୋଇପଡ଼ିଛି। ଏଥିରୁ ନିର୍ଗତ ହେଉଥିବା ଦୁର୍ଗନ୍ଧ କିମ୍ବଦନ୍ତୀରେ ସ୍ଥାନ ପାଇଥିବା ଏହି କୁଣ୍ଡମାନଙ୍କୁ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ନଜରରୁ ଦୂରକୁ ନେଇ ଯାଉଛି ବୋଲି ଅଭିଯୋଗ ହେଉଛି।

ଦୀର୍ଘ ଛଅ ବର୍ଷ ହେଲା ଏହି ଚାରି କୁଣ୍ଡ ଅବହେଳିତ ହୋଇ ପଡ଼ିରହିଛି। ଏହି କୁଣ୍ଡର ପାଣିରୁ ଦୁର୍ଗନ୍ଧ ବାହାରୁଛି। କୁଣ୍ଡରୁ ଜଳ ନିସ୍କାସନ ହୋଇ ପାରୁନଥିବାରୁ ଜମି ରହିଥିବା ଜଳରେ ବିଭିନ୍ନ ଜଳଜ ଉଦ୍ଭିଦ ଓ ଗୁଳ୍ମ ଜନ୍ମ ନେଇ ମାଡ଼ି ଗଲାଣି। ଉକ୍ତ ଗୁଳ୍ମ ଓ ଲତା ପଚି ସଢ଼ିବା ପରେ ପାଣି ଦୁର୍ଗନ୍ଧପୂର୍ଣ୍ଣ ହୋଇପଡ଼ିଛି। କୁଣ୍ଡଗୁଡ଼ିକର ମୂଳ ସମସ୍ୟା ହେଉଛି ଝର ପାଣିକୁ ଠିକ୍‌ରେ ନିସ୍କାସନ କରାଇବା। ମାତ୍ର ସେ କାମ କରାଯାଇନାହିଁ। ପର୍ୟ୍ୟଟନ ବିଭାଗର ଅନୁଦାନ ଅର୍ଥରେ ଆଗ ମନ୍ଦିର ପରିସରରେ ପଥର ବିଛାଇବା କାମ କରାଗଲା। କିନ୍ତୁ କୁଣ୍ଡର ପୁନରୁଦ୍ଧାର ବେଳକୁ କାମ ବନ୍ଦ କରାଯାଇଛି। ଫଳରେ କୁଣ୍ଡରେ ନେଳି ପାଣି ଜମି ରହିବା ସମସ୍ୟାର ସମାଧାନ ହୋଇନାହିଁ। କିମ୍ବଦନ୍ତୀ ଅନୁସାରେ ଏମାନଙ୍କ ମଧ୍ୟରୁ ଖିର କୁଣ୍ଡର ପାଣିରେ ଔଷଧୀୟ ଗୁଣ ରହିଛି। ଏହି କୁଣ୍ଡର ପାଣି ପିଇଲେ ବହୁ ପେଟ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ପେଟରୋଗର ଉପଶମ ପାଇଁ ଲୋକେ ଆବାହମାନ କାଳରୁ ଖିରକୁଣ୍ଡର ପାଣି ନେଇ ପିଅନ୍ତି।

ମାତ୍ର ଏବେ ସେହି ପାଣିକୁ ପାଟିରେ ଦେବା ଅସମ୍ଭବ ହୋଇପଡ଼ିଛି। ଦେବତାଙ୍କ ପ୍ରସାଦ ବୋଲି କେହି ଘୃଣା କରୁନଥିଲେ ହେଁ ଏହି ପାଣି ବ୍ୟବହାର ବନ୍ଦ ହୋଇଯାଇଛି। ଖିର କୁଣ୍ଡରୁ ବଳକା ପାଣି ଗୌରୀ କୁଣ୍ଡକୁ ବହିଥାଏ। ଗୌରୀ କୁଣ୍ଡରେ ଲୋକମାନେ ସ୍ନାନ କରିଥାନ୍ତି। ଗୌରୀ କୁଣ୍ଡର ମଇଳା ପାଣି ଏକ ଅସୁରଣୀ ମୁହଁ ମଧ୍ୟ ଦେଇ ସାବୁନ କୁଣ୍ଡକୁ ବହେ। ସାବୁନ କୁଣ୍ଡରେ ଲୋକେ ଲୁଗାପଟା ସଫା କରନ୍ତି। ଶେଷରେ ସାବୁନ କୁଣ୍ଡର ମଇଳା ପାଣି ଜାତୀୟ ରାଜପଥ କଡ଼ରେ ଯାଇଥିବା ଏକ ବଡ଼ ନଳାକୁ ନିର୍ଗତ ହୋଇଥାଏ। ତେବେ ଗତ ୬ ବର୍ଷ ହେଲା ଉକ୍ତ ୪ଟି ଯାକ କୁଣ୍ଡର ପାଣି ନଷ୍ଟ ହୋଇଯାଇଛି।

Related

News