ରାଜନୀତି: ରାହୁଙ୍କ ଦୃଷ୍ଟିରୁ ମୁକୁଳି ପାରିବେନି ଖାରବେଳ

  • 27-Feb-2024
  • 0 Comments


ଭୁବନେଶ୍ୱର: ବିଜେପି ଛାଡ଼ିବା ପରଠାରୁ ଖାରବେଳ ସ୍ୱାଇଁଙ୍କ ଫଁ ରହିଛି; ମାତ୍ର ଚୋଟ ମାରିବାର ଶକ୍ତି ହରାଇଛନ୍ତି । ନିଜେ ଗୋଟିଏ ଗୋଠ ତିଆରି କଲେ; ମାତ୍ର ଲାଳନ ପାଳନ କରିବାକୁ ଦମ୍ ପାଇଲାନି । ଏ ଗୋଠରୁ ସେ ଗୋଠକୁ ଯାଇ ହଲାପଟା ହେବା ପରେ ପୁଣି ଫେରିଆସିଲେ ବିଜେପିକୁ । ମୋଦୀଙ୍କ କାନ୍ଧରେ ବସି ଲୋକସଭା ଅବା ବିଧାନସଭା ଭିତରେ ପଶିବାର ଆଶା ରଖିଛନ୍ତି ।

ସମୟ ସମୟରେ ନିଜକୁ ଭାରି ପାରିବାର ଭାବିବା ମଧ୍ୟ ରାଜନୀତି କ୍ୟାରିୟର ପାଇଁ ବଡ଼ ଖରାପ । ଏ କଥାଟିକୁ ଚତୁର ଖାରବେଳ ଟିକେ ଡେରିରେ ବୁଝିଲା ବେଳକୁ ନେଡ଼ିଗୁଡ଼ ଯାଇ କହୁଣୀରେ ପହଂଚିଲାଣି । ତଥାପି ମୁହଁ ଭୁରୁଡ଼ି ମାରିବାକୁ ପଛାଇ ନାହାନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣା ଚଉକି ସମ୍ଭାଳିବା ପାଇଁ ଅଧାଗଢ଼ା ମନ୍ଦିରରେ କିଶୋର ରାମଚନ୍ଦ୍ରଙ୍କୁ ବସାଇବା ପରେପରେ ରସାତଳଗାମୀ ଦ୍ୱାରକାଧିଶ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମୟୁର ଚୂଳ ଅର୍ପଣ କରିଛନ୍ତି । ତଥାପି କୋଉଠି ଧର୍ମବଳ କମି ଯାଉଥିବା ଦେଖି ମସଜିଦରେ ନମାଜ ଓ ଗୀର୍ଜାରେ ନାକକାନ ମୋଡ଼ିବାକୁ ଧାଇଁ ଯାଉଛନ୍ତି । ଏଣେ ଖାରବେଳ ଅଲାଜୁକଙ୍କ ଭଳି କହୁଛନ୍ତି କ’ଣ ନା, ୨୦୨୪ ନିର୍ବାଚନରେ ବିଜେଡି କୁକୁର ଭଳି ହାରିବ । ପାଣ୍ଡିୟାନ ଦଉଡ଼ି ଦଉଡ଼ି ତା’ ଇଲାକାକୁ ପଳାଇବ ।

ଖାରବେଳଙ୍କ ପାଖରେ ଏମିତି କୋଉ ଗଦ ଅଛି ଯେ ସେ ବିଜେଡି ଓ ପାଣ୍ଡିୟାନଙ୍କ ସଂପର୍କରେ ଏପରି ଭବିଷ୍ୟବାଣୀ କରୁଛନ୍ତି ।

ବିଜେପି ରାଜନୀତି ସାଢ଼େ ଚାରିକୋଟି ଜନତାଙ୍କ ନିକଟରେ ଆଉ ଅଜଣା ହୋଇ ରହିନାହିଁ । ବିଜେଡିକୁ କୁକୁର ଭଳି ହାରିବ କହୁକହୁ ଖୋଦ ଖାରବେଳ କୁକୁର ଭଳି ହାରି ପଳାୟନ  ନକଲେ ହେଲା? ବିଦେଶରୁ କଳାଧନ ଆଣିବା କଥା କହିକହି ଦୁଇପାଳି ଶାସନ ଭିତରେ ବିଜେପି ଆପଣା ଜମାଖାତାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଗଚ୍ଛିତ କରିସାରିଲାଣି । ବିଜେପିର ଯାବତୀୟ ଅଳିଆ କାମ ସଂପର୍କରେ ଖାରବେଳଙ୍କ ଭଳି ମିଛ ଅହଂକାରକୁ ଜାବୁଡ଼ି ଧରିଥିବା ନେତାମାନଙ୍କୁ ଭଲ ଭାବେ ମାଲୁମ ।

Related

News