ଶିମିଳିପାଳରେ ଲିଭୁନି ନିଆଁ

  • 09-Mar-2021
  • 0 Comments


କେଉଁ କାରଣରୁ ଶିମିଳିପାଳରେ ନିଆଁ ଲାଗିଲା, ବନ ବିଭାଗ କି ସରକାର ଜାଣିପାରିଲେନି । ଏବେ ସେ ନିଆଁ ଲିଭାଇବା ଉଦ୍ୟମ ବିଫଳ ପ୍ରାୟ । ଗୋଟିଏ ଜଙ୍ଗଲରେ ନିଆଁ ଲିଭେଇକି ଆସିଲେ ଆଉ ଗୋଟିଏ ଜଙ୍ଗଲରେ ନିଆଁ ଲାଗୁଥିବା ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ପରିମାଣର କର୍ମଚାରୀଙ୍କ ବଳରେ ଶିମିଳିପାଳ ଭଳିି ଘନଜଙ୍ଗଲକୁ ସୁରକ୍ଷିତ ରଖିବା ଅସମ୍ଭବ । ତଥାପି କର୍ମଚାରୀମାନେ ନିଆଁକୁ ମୁକାବିଲା କରିବା ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି । ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲ ଅଂଚଳରେ ଜଣେ ବ୍ୟକ୍ତି ନିଆଁ ଲଗାଉଥିବା ସମୟରେ ବନ କର୍ମଚାରୀଙ୍କ ହାତରେ ଧରା ପଡ଼ିଛନ୍ତି । କରଞ୍ଜିଆ ଉପଖଣ୍ଡର ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା ପ୍ରଭୃତି ବ୍ଲକର ବିଭିନ୍ନ ଗାଁରେ ଧୂଆଁ ଧୂଆଁ ଦେଖାଯାଉଛି। 
ଶିମିଳିପାଳରେ ୫୮୩ଟି ସ୍ଥାନରେ ଜଙ୍ଗଲ ଜଳୁଛି। ଉତ୍ତରରେ ୩୯୬ଟି ସ୍ଥାନରେ ନିଆଁ ଲାଗିଥିବାବେଳେ ଦକ୍ଷିଣ ଶିମିଳିପାଳରେ ୧୮୭ଟି ସ୍ଥାନରେ ନିଆଁ ଲାଗିଛି। ଉତ୍ତର ଶିମିଳିପାଳର କେନ୍ଦୁମୁଣ୍ଡି, ତାଳବନ୍ଧ, ଗୁଡୁଗୁଡ଼ିଆ, ବରେହିପାଣି ଓ ନଅଣା ରେଞ୍ଜରେ ନିଆଁ ଲାଗିଥିବା ସୂଚନା ମିଳିଛି। ଶିମିଳିପାଳରେ ନିଆଁ ଲାଗିବା ମଣିଷକୃତ। ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗର ୪ଟି ଟିମ ଶିମିଳିପାଳ ଭିତରକୁ ପ୍ରବେଶ କରିଥିବା ବେଳେ, ପୂର୍ବରୁ ଜାମୁଆଣି ଠାରେ ୨ଟି ଟିମ୍‌ ନିୟୋଜିତ ଅଛନ୍ତି। ଶିମିଳିପାଳ ଉତ୍ତରରେ ୮ଟି ରେଞ୍ଜ ଅଫିସରୁ ୭ଟି ରେଞ୍ଜ ଅଫିସରେ ଟିମ ଗଠନ କରାଯାଇଛି। ଗୋଟିଏ ଟିମରେ ୧୦ ଜଣ ଲେଖାଁଏ ଅଛନ୍ତି। ଉତ୍ତର ଶିମିଳିପାଳ ଭିତରେ ୪୫ଟି ଗାଁ ରହିଛି। ଶିମିଳିପାଳ ଚତୁଃପାର୍ଶ୍ବରେ ୧୨୦୦ ଗାଁ ଅଛି।

 

ବନ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ ଶିମିଳିପାଳ ଭିତରେ ଓ ପାଦଦେଶରେ କିଛି ଅସାମାଜିକ ଯୁବକ ନିଆଁ ଲଗାଇ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି କରିଛନ୍ତି । ଶିମିଳିପାଳରେ ନିଆଁ ମନୁଷ୍ୟକୃତ ବୋଲି ସରକାର ଜାଣିବାକୁ ପାଇଛନ୍ତି । ସାଧାରଣ ମଣିଷ ଯଦି ଜଙ୍ଗଲକୁ ସୁରକ୍ଷା ଦେବା ବଦଳରେ ଉଜାଡ଼ିବେ । ସରକାର ଏ ଦିଗରେ କ’ଣ ବା କରିପାରିବେ ବୋଲି କିଛି ଉଚ୍ଚାପଦାଧିକାରୀ ମତବ୍ୟକ୍ତ କରିଛନ୍ତି ।
 

Related

News