ବର୍ଷାଋତୁ ପାଖେଇଲେ, ମନେପଡେ ନାଳନର୍ଦ୍ଦମା ଓ ପରିମଳ ସମସ୍ୟା     

  • 31-May-2021
  • 0 Comments


ବର୍ଷାଦିନ ପାଖେଇ ଆସିଲେ ଲୋକଙ୍କ ମନକୁ ଘାରେ ବିଶୁଦ୍ଧ ପାଣି ବ୍ୟବସ୍ଥା, ନାଳନର୍ଦ୍ଦମା ଓ ପରିମଳ ବ୍ୟବସ୍ଥା l ଏହି ସମସ୍ୟା କେବଳ ନିର୍ଦ୍ଧିଷ୍ଟ  ସହର ବା ଗ୍ରାମରେ ସୀମିତ ନାହିଁ, ରାଜ୍ୟର ପ୍ରତ୍ୟେକ ସହର ଓ ଗ୍ରାମର ଗଳିକନ୍ଦିରେ କିଛି ନ କିଛି ସମସ୍ୟା ଆମ ଦୃଷ୍ଟିକୁ ଆସିବ l ଆଜି ଆମେ ଆପଣଙ୍କୁ ନେଇଯିବୁ ଦକ୍ଷିଣ ରାଉରକେଲା ସମେତ ସାରନଗରୀକୁ l ସେଠାରେ ଥିବା ବିଭିନ୍ନ ବସ୍ତି ଓ କଲୋନୀରେ ଡ୍ରେନେଜ ଓ ପରିମଳ ବ୍ୟବସ୍ଥା ପୂର୍ବପରି ଅସଜଡ଼ା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ୫ଟି ସଚିବଙ୍କ ଗୁଣଗାରିମା ଗାଉଛନ୍ତି l 
ଏବେଠାରୁ ପୋତି ହୋଇ ପଡ଼ିଥିବା ବିଭିନ୍ନ ନାଳ, ନର୍ଦ୍ଦମାକୁ ପୁନରୁଉଦ୍ଧାର କରିବା ସହ ଗଳିକନ୍ଦିର ଆବଡ଼ାଖାବଡ଼ା ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।
ସାରନଗରୀର କିଛି କଲୋନୀରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ୟ୍ୟସ୍ତ ହୋଇପଡ଼ିଛି । ସାରନଗରୀର ଅନେକ ବସ୍ତି ଓ କଲୋନୀ ରାଉରକେଲା ମହାନଗର ନିଗମ(ଆରଏମସି) ଅଧିନରେ ଆସୁ ନଥିବାରୁ ଅଳିଆ, ଆବର୍ଜନା ସଫା କରିବା ପାଇଁ ଗୁରୁତ୍ୱ ଦିଆଯାଉନାହିଁ । ସେହି ସବୁ ଅଂଚଳରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହେବାକୁ ଲାଗିଛି । ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲୁଥିବା ବେଳେ ଦକ୍ଷିଣ ରାଉରକେଲାର କିଛି ନିର୍ଦ୍ଦିଷ୍ଟ ବସ୍ତି ଓ କଲୋନୀରେ ପ୍ରଶାସନିକ ବ୍ୟବସ୍ଥା ପ୍ରତି ସିଧାସଳଖ ଅଙ୍ଗୁଳି ଉଠାଉଛି l 
ଗତ କିଛି ଦିନ ତଳେ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷାରେ ଅନେକ ବସ୍ତି ଓ କଲୋନୀରେ କୃତ୍ରିମ ବନ୍ୟା ସୃଷ୍ଟି କରୁଥିଲା l ଡ୍ରେନେଜ ଓ ନାଳଗୁଡ଼ିକୁ ଦୀର୍ଘମାସ ହେଲା ସଫା ନକରିବା କାରଣରୁ ସେଗୁଡ଼ିକ ପୋତି ହୋଇପଡ଼ିଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ସାରନଗରୀର କିଛି ଜାଗାରେ ରାସ୍ତାର ଉଭୟ ପାଶ୍ୱର୍ରୁ କିଛି ଅସାଧୁ ବ୍ୟବସାୟୀ ତଥା ବ୍ୟକ୍ତି ମାନେ ଜବରଦଖଲ କରିବା ଦ୍ୱାରା ବର୍ଷା ରୁତୁରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଥାଏ ।
 

ଜବର ଦଖଲ ଦ୍ୱାରା ରାସ୍ତା ପାଖର କିଛି ନାଳ ପୋତି ହୋଇ ଯାଇଛି । ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ସେକ୍ଟର-୨୨(ସାରନଗରୀ)ର ସୁପର ମାର୍କେଟ ଉପରେ ଫର୍ଟିଲାଇଜର ଟାଉନସିପ ସମେତ ଆଖପାଖ କଲୋନୀ ଓ ବସ୍ତି ଅଂଚଳର ବାସିନ୍ଦା ମାନେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ପାଇଁ ପ୍ରତ୍ୟକ୍ଷ ଭାବେ ନିର୍ଭର କରିଥାନ୍ତି । ପ୍ରତିଦିନ ପରିବା ଓ ମାଛ ବଜାର ଏହି ମାର୍କେଟରେ ବସୁଥିବାରୁ ପ୍ରତ୍ୟହ ଜନଗହଳି ହେଉଥିବା ନଜରକୁ ଆସିଥାଏ ।
ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁ ନାଳ ପାଣି ମାର୍କେଟ ନିକଟ ରାସ୍ତାରେ ପ୍ରବାହିତ କାରଣରୁ ମାର୍କେଟକୁ ଆସୁଥିବା ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସନ୍ତା ବର୍ଷା ରୁତୁ ପୂର୍ବରୁ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିପର୍ୟ୍ୟସ୍ତ ଅବସ୍ଥାରେ ପଡ଼ିଥିବା ନାଳ, ଡ୍ରେନେଜ ଓ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ଜୋର ଧରିଛି ।
 

Related

News